ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ମୁଁ ରାଷ୍ଟ୍ରପତି ପଦ ଛାଡ଼ିବାକୁ ରାଜି: ଜେଲେନ୍‌ସ୍କି

ୟୁକ୍ରେନ ରାଷ୍ଟ୍ରପତି ପଦ ପ୍ରତି ମୁଁ ଲାଳାୟିତ ନଥିଲି । ଏବେ ମଧ୍ୟ ନାହିଁ । ୟୁକ୍ରେନ ଉପରେ ରୁଷିଆର ହମ୍‌ଲା ପଛରେ ମୋତେ ଦାୟୀ କରୁଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ମୋର ଦେଶପ୍ରେମ ପ୍ରତି ଆକ୍ଷେପ କରୁଛନ୍ତି ।

ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ବାଟରେ ମୋତେ କଣ୍ଟା ମଣୁଥିବା ମହାଶକ୍ତିମାନେ ଭଲ ଭାବରେ ବିଚାର କରନ୍ତୁ । ୟୁକ୍ରେନ ଜନତା ଓ ୟୁକ୍ରେନର ଗୌରବ ଅକ୍ଷୁର୍ଣ୍ଣ ରଖିବା ମୋର ଏକମାତ୍ର ଲକ୍ଷ୍ୟ । ୟୁକ୍ରେନର ଆତ୍ମସମ୍ମାନକୁ ବଳିଦେବାର ଅପପ୍ରୟାସ କରିନି । ୟୁକ୍ରେନ କାହା ଉପରେ ଦାଦାଗିରି କରିନି କି କାହା ଚାପରେ ପଡ଼ି ମୁଣ୍ଡ ନୁଅାଁଇବା ଶିଖିନି । ୟୁକ୍ରେନ ଏକ ଶାନ୍ତିକାମୀ ରାଷ୍ଟ୍ର, ତା’ର ସାର୍ବଭୌମତ୍ୱ ରକ୍ଷା କରିବା ମୋର ପରମ ଧର୍ମ । ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିଥିବା ରାଷ୍ଟ୍ର ମୋତେ ଟାର୍ଗେଟ୍‌ କରିଛି ।

ଯୋଉମାନେ ଏବେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେମାନେ ମୋତେ ୟୁକ୍ରେନ ଯୁଦ୍ଧ ପାଇଁ ଦାୟୀ କରିବା ଯେତିକି ହାସ୍ୟାସ୍ପଦ, ମୁଁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ୟୁକ୍ରେନରେ ଶାନ୍ତି ଫେରିଆସିବ ଗାଇ ବୁଲିବା ସେତିକି ଦୁଃଖଦାୟକ । ସୂଚନାଯୋଗ୍ୟ, ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ମିଳିତ ଆଲୋଚନାରେ ଏକାଠି ହୋଇଥିଲେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ବୈଠକକୁ ଆମନ୍ତ୍ରଣ କରି ନଥିଲେ ।