ଟିକା ନନେଲେ ମିଳିବନି ପେଟ୍ରୋଲ ଓ ରାସନ ମିଳିବନ!

ମୁମ୍ବାଇ: ଏଣିକି ଟିକା ନନେଲେ ମିଳିବନି ପେଟ୍ରୋଲ ଏବଂ ରାସନ । କୋଭିଡ ସମୟରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିଲା । ରାଜ୍ୟରେ ଟିକାକରଣ ଜୋରଦାର ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ସଚେତନତା ଚାଲିଛି । ଏହାରି ଭିତରେ ଔରଙ୍ଗାବାଦ ପ୍ରଶାସନ ଏକ ବଡ଼ ଘୋଷଣା କରିଛି ଯେ, ଯେଉଁମାନେ କରୋନା ଟିକାର ଗୋଟିଏ ବି ଡୋଜ ନେଇ ନାହାନ୍ତି ସେମାନଙ୍କୁ ପେଟ୍ରୋଲ୍‌, ଗ୍ୟାସ୍‌ ଏବଂ ରାସନ ମିଳିବ ନାହିଁ । ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଜାରି ହୋଇଛି । ଏହାସହ ଟିକା ନେଇନଥିବା ଲୋକଙ୍କୁ ଜିଲ୍ଲାର ପର୍ଯ୍ୟଟନ ସ୍ଥଳରେ ପ୍ରବେଶ ମଧ୍ୟ ମିଳିବ ନାହିଁ । ଔରଙ୍ଗାବାଦ ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି । ଏହା ଦ୍ୱାରା ଟିକାକରଣର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ ୭୪ ପ୍ରତିଶତ ଲୋକ ଭ୍ୟାକସିନ୍‌ ନେଇଥିବା ବେଳେ ଔରଙ୍ଗାବଦାରେ ମାତ୍ର ୫୫ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି । ୨୩ ପ୍ରତିଶତ ଲୋକ ଦୁଇଟି ଡୋଜ ନେଇଥିବା ଜଣାପଡ଼ିଛି ।