ଇସ୍ଲାମାବାଦ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟେଲିଫୋନରେ କଥା ହେବାକୁ ଚାହୁଁନଥିବା ଜଣାପଡ଼ିଛି । ଏନେଇ ପାକ ସୁରକ୍ଷା ପରାମର୍ଶଦାତା ଆମେରିକାକୁ ଚେତାବନୀ ଦେଇଛନ୍ତି । ପାକ ଏନଏସଏ ସୟଦ ୟୁସୁଫ କହିଛନ୍ତି, ଯଦି ଆମେରିକା ନେତା ଦେଶର ନେତୃତ୍ୱଙ୍କୁ ଅଣଦେଖା କରନ୍ତି ତେବେ ପାକିସ୍ତାନ ପାଖରେ ଅନ୍ୟ ବିକଳ୍ପ ରହିଛି । ପ୍ରକାଶିତ ଖବର ଅନୁଯାୟୀ, ୟୁସୁଫ କହିଛନ୍ତି, ଆମେରିକା ରାଷ୍ଟ୍ରପତି ମହତ୍ୱପୂର୍ଣ୍ଣ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁନାହାନ୍ତି । କିନ୍ତୁ ଆଫଗାନିସ୍ତାନ ମାମଲାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛନ୍ତି । ଆମେ ଏହି ସଙ୍କେତକୁ ବୁଝି ପାରୁନାହୁଁ । ସେ ଆହୁରି କହିଛନ୍ତି, ଆମେ ପ୍ରତ୍ୟେକ ସମୟରେ ଫୋନରେ କଥା ହେବୁ ବୋଲି କୁହାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ହେଉ କି ଅନ୍ୟ କାରଣ ପାଇଁ ଏହାକୁ କେହି ବିଶ୍ୱାସ କରୁନାହାନ୍ତି । ଏହା ସହ ସେ ଇସଲାମବାଦ ପାଖରେ ଅନ୍ୟ ବିକଳ୍ପ ଥିବା ନେଇ କହି ଆମେରିକାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ସେପଟେ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପାକିସ୍ତାନକୁ ଆଶ୍ୱସନା ଦିଆଯାଇଛି । ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଦିଗରେ ପାକିସ୍ତାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଆଶା ଅଛି ଇମ୍ରାନ ଖାନଙ୍କ ସରକାର ତାହା କରି ଦେଖାଇବେ ବୋଲି ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି ।