ନିମିଷକ ଭିତରେ ମାଟିରେ ମିଶିଗଲା ବିରାଟକାୟ ଅଟ୍ଟାଳିକା
୧୨ ଘଂଟା ଭିତରେ ତିନୋଟି ଶକ୍ତିଶାଳୀ ଝଟ୍କା
ଦୋହଲିଗଲା ତୁର୍କିୟା, ସିରିୟା, ଲେବାନନ୍ ଓ ଇସ୍ରାଏଲ୍…
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅନ୍ତର୍ଗତ ଚାରିଟି ଦେଶ ତୁର୍କିୟେ (ତୁର୍କି), ସିରିୟା, ଲେବନାନ୍ ଓ ଇଜରାଏଲ ଥରିଯାଇଛି । ସୋମବାର ଭୋର ଚାରିଟାରୁ ଅପରାହ୍ଣ ଚାରିଟା ଭିତରେ ତିନିଥର ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପଜନିତ ପ୍ରଳୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ତୁର୍କିୟେ ଓ ତୁର୍କିୟେ-ସିରିୟା ସୀମାନ୍ତ । ସୋମବାର ସନ୍ଧ୍ୟା ସୁଦ୍ଧା ତୁର୍କିୟେରେ ସର୍ବାଧିକ ୧୧୨୧ ଲୋକ ପ୍ରାଣ ହରାଇଛନ୍ତି ଓ ୫୩୫୯ ଆହତ ହୋଇଛନ୍ତି । ସିରିୟାରେ ୭୮୩ ଜଣ ପ୍ରାଣ ହରାଇଛନ୍ତି ।
ସୂଚନା ମୁତାବକ ସୋମବାର ପ୍ରତ୍ୟୁଷ ସାଢେ଼ ଚାରିଟାରେ ୭.୮ ତିବ୍ରତା ସମ୍ପନ୍ନ ପ୍ରଥମ ଝଟ୍କା, ଦିନ ୧୦ଟାରେ ୭.୬ ତିବ୍ରତା ସମ୍ପନ୍ନ ଦ୍ୱିତୀୟ ଝଟ୍କା ଓ ଦ୍ୱିପ୍ରହର ତିନିଟାରେ ୬ ତିବ୍ରତା ସମ୍ପନ୍ନ ତୃତୀୟ ଝଟ୍କା ଅନୁଭୂତ ହୋଇଥିଲା । ଏହାବାଦ ଭୋର ୪ଟାରୁ ଅପରାହ୍ଣ ତିନିଟା ଭିତରେ ୪ରୁ ୫ ତିବ୍ରତା ସମ୍ପନ୍ନ ଘନଘନ ଝଟ୍କା ଅନୁଭୂତ ହୋଇଥିଲା । ସିରିୟାରେ ୧୫୦୦ରୁ ଅଧିକ ଲୋକ କ୍ଷତାକ୍ତ ହୋଇଛନ୍ତି । ଲେବନାନ୍ ଓ ଇସ୍ରାଏଲ୍ରେ ଭୂକମ୍ପଜନିତ କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନାହିଁ ।
ଭୂକମ୍ପର କେନ୍ଦ୍ରସ୍ଥଳ ଗାଜିୟାଁଟେପ୍ ସହର ଥିଲା । ଏହି ଅଂଚଳଟି ସିରିୟା ସୀମାନ୍ତଠାରୁ ୯୦ କିମି ଦୂରରେ । ଦାମାସ୍କସ୍, ଅଲେପ୍ପୋ, ହମା, ଲତାକିୟା ସମେତ ଅନ୍ୟାନ୍ୟ ସହରରେ ବିରାଟକାୟ ଅଟ୍ଟାଳିକାଗୁଡ଼ିକ ମାଟିରେ ମିଶିଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତୁର୍କିୟେ ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦୀ କହିଛନ୍ତି, ତୁର୍କିୟେର ଦୁର୍ଭାଗ୍ୟ ସମୟରେ ଭାରତର ୧୪୦ କୋଟି ଲୋକଙ୍କର ସହାନୁଭୂତି ରହିଛି । ଭାରତ ସରକାରଙ୍କ ପକ୍ଷରୁୂ ତୁର୍କିୟେକୁ ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ ଓ ଏନ୍ଡିଆରଏଫ୍ ଦଳ ପଠାଯାଇଛି । ତା’ ସହିତ ରିଲିଫ୍ ସାମଗ୍ରୀ, ଔଷଧପତ୍ର, ପୋଷାକପତ୍ର, ପଲିଥିନ ପେଟି ମଧ୍ୟ ପଠାଯାଇଛି ।
ଭୂକମ୍ପ ପରେପରେ ତୁର୍କିୟେସ୍ଥିତ ନାଚୁରାଲ ଗ୍ୟାସ୍ ପାଇପ୍ ଲାଇନରେ ନିଅାଁ ଲାଗିଯାଇଛି । ବିମାନବନ୍ଦର ରନୱେ ଉପରେ ବିରାଟ ଫାଟ ସୃଷ୍ଟି ହୋଇଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁର୍କିୟେ ରାଷ୍ଟ୍ରପତି ଏର୍ଡୋଗାନ୍ ଜରୁରୀ କାଳୀନ ଶାସନ ଜାରି କରିଛନ୍ତି । ସ୍କୁଲ କଲେଜଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ତୁର୍କିୟେର ଯୋଉ ଆଡ଼କୁ ଦୃଷ୍ଟି ପକାଇବ ଖାଲି ଧ୍ୱଂସସ୍ତୁପ । ସ୍ତୁପତଳୁ ଲୋକଙ୍କର ଆକୁଳ ଚିକ୍ରାର, ‘ରକ୍ଷାକର ଆମକୁ ରକ୍ଷାକର । କିଏ କୋଉଠି ଅଛ ଆମକୁ ରକ୍ଷାକର’ ।