ଆମେରିକା- ଭାରତ ୨+୨ ବୈଠକ: ଶକ୍ତିଶାଳୀ ହେବ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ-ଆମେରିକା ଟୁ ପ୍ଲସ ଟୁ ଶିଖର ବୈଠକ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ନେଇ ସନ୍ତୋଷଜନକ ଆଲୋଚନା ହୋଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକରେ ଆମେ ଆମର ପଡ଼ୋଶୀ ତଥା ତୃତୀୟ ଦେଶରେ ସମ୍ଭାବ୍ୟ ଦକ୍ଷତା ବୃଦ୍ଧି ଏବଂ ଅନ୍ୟାନ୍ୟ ମିଳିତ ସହଯୋଗ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଛୁ ବୋଲି କହିଥିଲେ ସିଂ । ଯେତେବେଳେ ବିଶ୍ୱ କରୋନା ମହାମାରୀ ଏବଂ ବୃଦ୍ଧି ପାଉଥିବା ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେଉଛି, ସେହି ସମୟରେ ଭାରତ-ଆମେରିକା ପାଇଁ ବିଶ୍ୱରେ ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ବୋଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଆସପର କହିଛନ୍ତି । ତେବେ ଗଭୀର ସମୁଦ୍ର ଓ ମହାକାଶରୁ ତଥ୍ୟ ସଂଗ୍ରହ ଲାଗି ସମସ୍ତ ସାହାଯ୍ୟ ଯୋଗାଇବା ଆମେରିକା ।

ଭାରତ ଏବଂ ଆମେରିକା ମଧ୍ୟରେ ଦୁଇ ଦିନିଆ ବୈଠକରେ ଉଭୟ ଦେଶ BECA ଚୁକ୍ତି (ବେଶିକ ଏକ୍ସଚେଞ୍ଜ ଆଣ୍ଡ କୋଅପରେସନ ଏଗ୍ରିମେଣ୍ଟ) ଅର୍ଥାତ ମୌଳିକ ବିନିମୟ ଓ ସହଯୋଗ ଚୁକ୍ତି ରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଫଳରେ ଦୁଇ ଦେଶ ମଧ୍ୟରେ ସୂଚନା ଆଦାନପ୍ରଦାନ ସହଜ ହେବ। ଏହି ବୈଠକରେ ଯୋଗଦେବା ପାଇଁ ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀ ସୋମବାର ଭାରତରେ ପହଞ୍ଚିଥିଲେ। ପୂର୍ବ ଲଦାଖରେ ପ୍ରକୃତ ସୀମାରେଖାରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଭଳି ପରିସ୍ଥିତିରେ ଚୀନ୍ ମଧ୍ୟ ଏହି ବୈଠକ ଉପରେ ନଜର ରଖିଛି। ତେଣୁ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ଚୁକ୍ତିନାମା ଭାରତ ପାଇଁ ଲାଭଦାୟକ ହେବ ବୋଲି ରାଜନାଥ ସିଂ କହିଛନ୍ତି ।