ବାଂଲା ନିର୍ବାଚନକୁ ଅପେକ୍ଷା କରିଛି ଭାରତ

ବାଂଲାଦେଶ ଜଳୁଛି। ସେଠାରେ ଭାରତ …

ନୂଆଦିଲ୍ଲୀ: ବାଂଲାଦେଶ ଜଳୁଛି। ସେଠାରେ ଭାରତ ବିରୋଧୀ ମାନସିକତା ବୃଦ୍ଧି ପାଉଛି। ସେଠାକାର ଲୋକମାନେ ଭାବୁଛନ୍ତି ଛାତ୍ରନେତା ହାଦିଙ୍କ ହତ୍ୟା ପଛରେ ଭାରତ ରହିଛି। ସେହି ଭାରତ ବିରୋଧୀ ମନୋଭାବର ପରିଣାମ ଭୋଗୁଛନ୍ତି ସେଠାକାର ନିରୀହ ହିନ୍ଦୁ ପରିବାର। ୟୁନୁସଙ୍କ ସରକାର ସେମାନଙ୍କୁ ବଂଚାଇବା ବଦଳରେ ଭାରତ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଉଛନ୍ତି।

ବାଂଲାଦେଶର ଅସ୍ଥାୟୀ ମୁଖିଆ ମହମ୍ମଦ ୟୁନୁସ ଭାରତର ଉତର ପୂର୍ବାଂଚଳକୁ କାଟିଦେବାକୁ ଖୋଲାଖୋଲି ଧମକ ଦେଉଛନ୍ତି। ଚୀନ ଗସ୍ତ କାଳରେ ୟୁନୁସ ଭାରତର ଉତର ପୂର୍ବାଂଚଳକୁ କାଟିଦେବାକୁ ସଂକେତ ଦେଇଥିଲେ। ଗତ ମାସରେ ପାକିସ୍ତାନର ଜଣେ ସେନାଧିକାରୀ ଢାକା ଗସ୍ତରେ ଆସିଥିବା ବେଳେ ତାଙ୍କୁ ଏକ ବିବାଦୀୟ ମାନଚିତ୍ର ଦିଆଯାଇଥିଲା ଯେଉଁଥିରେ ଭାରତର ଅଂଚଳ ରହିଥିଲା। ନିକଟରେ ବାଂଲାଦେଶର ଆଉ କେତେକ ନେତା ବାରମ୍ବାର ଭାରତର ସିଲିଗୁଡ଼ି କରିଡରକୁ କାଟିଦେବାକୁ ଓ ଉତର-ପୂର୍ବକୁ ଅଲଗା କରିଦେବାକୁ ଧମକ ଦେଇ ଚାଲିଛନ୍ତି। ଆଉ ଜଣେ ନେତା ଧମକ ଦେଇଛନ୍ତି, ଭାରତର ବିଚ୍ଛିନ୍ନତାବାଦୀଙ୍କୁ ବାଂଲାଦେଶରେ ଶରଣ ଦିଆଯିବ। କେବଳ ଧମକ ନୁହେଁ, ଭାରତ ବିରୋଧୀ ଉଲଫା ସଂଗଠନର ନେତା ପରେଶ ବରୁଆଙ୍କୁ ଢାକାରେ ଅବସ୍ଥାପିତ କରିବାକୁ ଚକ୍ରାନ୍ତ ଚାଲିଛି। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ବାଂଲା ପରି ଏକ ଦୁର୍ବଳ ଦେଶର ବାରମ୍ବାର ଧମକ ଶୁଣି ଭାରତ ଚୁପ୍‌ କାହିଁକି? ଏହାର ଜବାବ ହେଉଛି ବାଂଲାଦେଶ ନିର୍ବାଚନ। ନିର୍ବାଚନ ପୂର୍ବରୁ ଭାରତ ବିରୋଧୀ ନିଆଁକୁ ତେଜି ମହମ୍ମଦ ୟୁନୁସ୍‌ ବାଜି ମାରିବା ଲକ୍ଷ୍ୟରେ ଅଛନ୍ତି। ଭାରତ ୟୁନୁସଙ୍କ ଏହି ଯୋଜନାକୁ ପଣ୍ଡ କରିବାକୁ ଚୁପ ରହିଛି।