ତୁର୍କି ଭଳି ଭୂକମ୍ପକୁ ସମ୍ଭାଳି ପାରିବ ଭାରତ!
ଭାରତ-ନେପାଳ ସୀମାନ୍ତଟି ଦୁଇଟି ମହାଦ୍ୱୀପର ଟେକ୍ଟୋନିକ୍ ପ୍ଲେଟ୍ ଲାଗିରହିଛି…
ନୂଆଦିଲ୍ଲୀ: ତୁର୍କିରେ ଶକ୍ତିଶାଳୀ ଭୂକମ୍ପ କାରଣରୁ ଚାରି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆଠ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଗଲାଣି । ଗତ ଦୁଇଦିନ ଭିତରେ ତୁର୍କି ଓ ସିରିୟାରେ ପ୍ରାୟ ୫୫୦ ଥର ଭୂକମ୍ପ ଅନୁଭୂତ ହୋଇଛି । ତା’ରି ଭିତରୁ ତୁର୍କିରେ ବ୍ୟାପକ କ୍ଷତି ସାଧନ କରିଥିବା ଶକ୍ତିଶାଳୀ ଭୂକମ୍ପର ପରିମାଣ ମାତ୍ର ୭ । ଭାରତରେ ପ୍ରତିବର୍ଷ ଅନ୍ୟୁନ ଏକହଜାର ଥର ଭୂକମ୍ପ ଅନୁଭୂତ ହୋଇଥାଏ । ତା’ ଭିତରୁ ଦୁଇଶହରୁ ଅଢେ଼ଇଶହ ବାର ଭୂପୃଷ୍ଠ ହଲିବାର ଆଭାସ ମିଳିଥାଏ । ଭାରତର ୫୯ ଭାଗ ଅଂଚଳ ଭୂକମ୍ପ ଜୋନ୍ ଭିତରେ ଅଛି । ହିମାଳୟ ପାହାଡ଼ିଆ ଅଂଚଳଟି ଭୂକମ୍ପପ୍ରବଣ ଇଲାକା ।
୧୮୯୭ ମସିହାରେ ଶିଲଂ ପଠାର ଅଂଚଳରେ ରିକ୍ଟର ସ୍କେଲରେ ୮.୧ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଥିଲା । ୧୯୦୫ ମସିହାରେ କାଙ୍ଗଡ଼ା ଅଂଚଳରେ ୭.୮ ତୀବ୍ରତା, ୧୯୩୪ରେ ବିହାର-ନେପାଳ ସୀମାନ୍ତରେ ୮.୩ ତୀବ୍ରତା, ୧୯୫୦ ମସିହାରେ ଅରୁଣାଚଳ ପ୍ରଦେଶ-ଚୀନ ସୀମାନ୍ତରେ ୮.୫ ତୀବ୍ରତା ଓ ୨୦୧୫ରେ ନେପାଳରେ ୭.୯ ତୀବ୍ରତା ସଂପନ୍ନ ଭୂକମ୍ପ ହୋଇଥିଲା । ଭାରତ-ନେପାଳ ସୀମାନ୍ତଟି ଦୁଇଟି ମହାଦ୍ୱୀପର ଟେକ୍ଟୋନିକ୍ ପ୍ଲେଟ୍ ଲାଗିରହିଛି ।
ଭାରତର ଭୂମିସ୍ତରକୁ ସାଧାରଣତଃ ୫ଟି ଜୋନ୍ରେ ବିଭକ୍ତ କରାଯାଇଛି । ତା’ ଭିତରୁ ପ୍ରଥମ ଜୋନ୍ ଅନ୍ତର୍ଭୁକ୍ତ ଅଂଚଳରେ ଭୂକମ୍ପ ହେବାର ଆଶଙ୍କା ନାହିଁ । ଅନ୍ୟ ଚାରିଟି ଜୋନ୍ ବିଷୟରେ ଆମର ସମ୍ୟକ ଧାରଣା ରହିବା ଦରକାର । ଜୋନ୍-୨ ଭିତରେ ରହିଛନ୍ତି ରାଜସ୍ଥାନ, ହରିଆଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁର କିଛି ଅଂଶ । ଜୋନ୍-୩ ଅଂଚଳ ଭିତରେ ଅଛି କେରଳ, ଗୋଆ, ଲାକ୍ଷା ଦ୍ୱୀପପୁଞ୍ଜ, ୟୁପି, ହରିଆଣାର କିଛି ଅଂଶ, ପଞ୍ଜାବ ଓ ଗୁଜରାଟର କିଛି ଭାଗ, ପଶ୍ଚିମବଙ୍ଗର କିଛି ଭାଗ, ପଶ୍ଚିମ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାରର କିଛି ଇଲାକା, ଝାଡ଼ଖଣ୍ଡର ଉତର ଭାଗ, ଛତିଶଗଡ଼ର କିଛିଅଂଶ । ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକର କିଛି ଭାଗ ।
ଜୋନ୍-୪ ଭିତରେ ରହିଛି ଜମ୍ମୁ-କଶ୍ମୀରର କିଛି ଅଂଶ, ଲଦାଖ, ହିମାଚଳ ଓ ଉତରାଖଣ୍ଡର କିଛି ଅଂଶ । ହରିଆଣା, ପଞ୍ଜାବ, ଦିଲ୍ଲୀ, ସିକ୍କିମ, ୟୁପିର ଉତର ଭାଗ, ବିହାର ଓ ପଶ୍ଚିମବଙ୍ଗର କିଛି ଅଂଶ, ଗୁଜରାଟ ଓ ମହାରାଷ୍ଟ୍ର ଓ ପଶ୍ଚିମ ରାଜସ୍ଥାନର କିଛି ଭାଗ ମଧ୍ୟ ଭୂକମ୍ପ ଜୋନ-୪ ଭିତରେ ରହିଛି । ଜୋନ୍-୫ ଭିତରେ ରହିଛି କଶ୍ମୀରଘାଟି, ହିମାଚଳ ପ୍ରଦେଶର ପଶ୍ଚିମଭାଗ, ଉତରାଖଣ୍ଡର ପୂର୍ବଭାଗ, ଗୁଜରାଟର କଚ୍ଛ ଇଲାକା, ବିହାରର ଉତର ଭାଗ, ଭାରତର ଉତର-ପୂର୍ବଭାଗ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।