ଆହୁରି ସଶକ୍ତ ହେବ ଭାରତ । ଶତ୍ରୁଙ୍କୁ ଦେବ ମୁହଁତୋଡ ଜବାବ । ଚୀନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଚୀନକୁ ଲକ୍ଷ୍ୟଭେଦ କରିବା ଭଳୀ ଅତିଦୂରଗାମୀ ଅସ୍ତ୍ରଶ୍ତ୍ର ଉପରେ ଦିଆଯାଉଛି ଗୁରୁତ୍ନ । ୨୦୨୩ରେ ଭାରତ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବିସ୍ତାର କରିଛି । ଏନେଇ ଷ୍ଟକ୍ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ବା ସିପ୍ରି ପକ୍ଷରୁ ପ୍ରକାଶିତ ନୂତନ ଇୟରବୁକ୍ରେ କୁହାଯାଇଛି ।
ଏହି ଇୟରବୁକ୍ରେ କୁହାଯାଇଛି ଯେ, ‘ପାକିସ୍ତାନ ଭାରତର ପରମାଣୁ ପ୍ରତିରୋଧର ମୁଖ୍ୟ ଫୋକସ୍ ହୋଇଥିବା ବେଳେ ଭାରତ ସମଗ୍ର ଚୀନରେ ଥିବା ଟାର୍ଗେଟ୍ଗୁଡ଼ିକ ଉପରେ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଅସ୍ତ୍ରଶସ୍ତ୍ର ସମେତ ଦୀର୍ଘ ଦୂରତା ବିଶିଷ୍ଟ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦେଉଛି। ଜାନୁଆରୀ ୨୦୨୪ ସୁଦ୍ଧା ଚୀନ୍ ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ୫୦୦ ଥିବାବେଳେ ଭାରତରେ ଏହି ସଂଖ୍ୟା ୧୭୨ ଥିବା ଆକଳନ କରାଯାଇଛି। ଚୀନରେ ବର୍ଷକ ତଳେ ୪୧୦ ଥିବାବେଳେ ଭାରତରେ ୧୬୪ ଥିଲା । ପାକିସ୍ତାନରେ ଏହି ସଂଖ୍ୟା ୧୭୦ ରହିଛି।
ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ପଞ୍ଚମ ବର୍ଷରେ ପହଂଚିଥିବା ବେଳେ ବିବାଦୀୟ ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ରହିଥିବା ସମସ୍ୟାର ତୁରନ୍ତ ସମାଧାନ ହେବାର କୌଣସି ସଙ୍କେତ ଏପର୍ଯ୍ୟନ୍ତ ମିଳିନାହିଁ । ପଡ଼ୋଶୀ ଦେଶ ସହ ଚାଲିଥିବା ଆଲୋଚନା ୨୦୨୦ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ଫେରାଇ ଆଣିବାରେ ସହାୟକ ହେବ ବୋଲି ଭାରତ ଆଶା ରଖିଛି। ସିପ୍ରିର ‘ଅସ୍ତ୍ରଶସ୍ତ୍ର’ କାର୍ୟ୍ୟକ୍ରମର ଆସୋସିଏଟ୍ ସିନିୟର ଫେଲୋ ହାନ୍ସ ଏମ୍ କ୍ରିଷ୍ଟେନ୍ସେନ୍ କହିଛନ୍ତି ଯେ ପ୍ରାୟ ସମସ୍ତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ଶକ୍ତି ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରୁଷ୍ (୪,୩୮୦) ଓ ଆମେରିକା (୩,୭୦୮) ପାଖରେ ସାରା ବିଶ୍ବରେ ଥିବା ମୋଟ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରାୟ ୯୦ ପ୍ରତିଶତ ରହିଛି।