ନୂଆଦିଲ୍ଲୀ: ଭାରତର ସର୍ବାଧିକ ଦୂରଗାମୀ ବାଲିଷ୍ଟିକ୍ ପରମାଣୁ ମିସାଇଲ୍ କ୍ଷମତା ୭୦୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ଭାରତୀୟ ରକ୍ଷା ବଗେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ମିସାଇଲରେ ଷ୍ଟିଲ ବଦଳରେ ମିଶ୍ରିତ ଧାତୁ ପ୍ରୟୋଗ କରାଯାଇଛି । ଫଳରେ ମିସାଇଲଟିର ଓଜନ ପୂର୍ବାପେକ୍ଷା ୨୦ ପ୍ରତିଶତ କମିଯାଇଛି । ଏ ସଂପର୍କରେ ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଏଭଳି ଏକ ବାଲିଷ୍ଟିକ୍ ମିସାଇଲ୍ ଚାହୁଁଥିଲେ ଯାହା ୭୦୦୦ କିମି ବା ତା’ଠାରୁ ଅଧିକ ଦୂର ଅଂଚଳକୁ ଭେଦ କରିପାରୁଥିବ । ଡିଆରଡିଓ ଅଗ୍ନି-୫ ମିସାଇଲରେ ମିଶ୍ରିତ ଧାତୁ ବ୍ୟବହାର କରି କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିପାରିଛି ।
ସୂଚନା ମୁତାବକ ଅଗ୍ନି-୩ ରକେଟ୍ ଓଜନ ପ୍ରାୟ ୪୦ ଟନ୍ । ଅଗ୍ନି-୩ ରକେଟ୍ ନିକଟରେ ୩୦୦୦ କିମି ଭେଦ କରିବାର କ୍ଷମତା ରହିଛି । ଅଗ୍ନି-୪ ରକେଟ୍ ଓଜନ ମାତ୍ର ୨୦ ଟନ୍ ଯାହା ଅଗ୍ନି-୩ ତୁଳନାରେ ଆହୁରି ଦୂରକୁ ଗତି କରିପାରିବ । ମାତ୍ର ଶତ୍ରୁକୁ ଅଧିକ କ୍ଷତିରେ ପକାଇଲା ଭଳି ଆବଶ୍ୟକ ମୁତାବକ ପରମାଣୁ ବୋମା ଧାରଣ କରି ୭୦୦୦ କିମି ପର୍ଯ୍ୟନ୍ତ ଗତି କରିବାର କ୍ଷମତା କେବଳ ଅଗ୍ନି-୫ ନୂତନ ସଂସ୍କରଣ ରକେଟ୍ ନିକଟରେ ରହିଛି ।
ଅଗ୍ନି-୫ ରକେଟ୍ ପ୍ରଥମ ସଂସ୍କରଣ ନିକଟରେ ୫୪୦୦ କିମି ଯିବାର କ୍ଷମତା ରହିଛି । ଅଗ୍ନି-୫ ରକେଟ୍ ଓଜନ ୫୦ ହଜାର କିଲୋଗ୍ରାମ । ନୂତନ ଅଗ୍ନି-୫ ରକେଟ୍ ଅକ୍ଲେଶରେ ରୁଷିଆ, ଆଫ୍ରିକାର ଅଧା ଅଂଚଳ, ଅଷ୍ଟ୍ରେଲିଆର ଉତର ଭାଗ, ଗ୍ରୀନଲାଣ୍ଡ ପର୍ଯ୍ୟନ୍ତ ଗତି କରିପାରିବ । ଏହି ରକେଟ୍ଟି ୧୫୦୦ କିଗ୍ରା ଓଜନର ପରମାଣୁ ଅସ୍ତ୍ର ପରିବହନ କରି ୭୦୦୦ କିମି ପର୍ଯ୍ୟନ୍ତ ଯାଇପାରିବ । ରକେଟ୍ଟିର ପରିଧି ୨ ମିଟର ।