ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଷୀଙ୍କ ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏହାକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ଡିସେମ୍ବର ୮ ତାରିଖରେ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ବନ୍ଦ କିଭଳି କରାଯିବ ସେନେଇ ସୂଚନା ଦେଇଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକେତ୍।
ଆମର ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ହେବ ଏବଂ ଆମେ ଏହାକୁ ଜାରି ରଖିବୁ ବୋଲି ସେ କହିଛନ୍ତି। ଆସନ୍ତାକାଲି ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ହେବ। ଭାରତ ସରକାରଙ୍କ ନୀତିକୁ ବିରୋଧ କରୁଛୁ, ଏହା ଆମର ସାଂକେତିକ ବିରୋଧ ପ୍ରଦର୍ଶନ ଅଟେ ।ଏନେଇ ସାଧାରଣ ଲୋକଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପାଇଁ ଭାରତ ବନ୍ଦର ଶୁଭାରମ୍ଭ ସକାଳ ୧୧ଟା ଆରମ୍ଭ ହେବ। ଏହାଦ୍ୱାରା ଲୋକେ ନିର୍ଦ୍ଧାରିତ ସମୟ ଭିତରେ ନିଜ ନିଜର ଅଫିସରେ ପହଞ୍ଚିପାରିବେ। ଅଫିସ ସମୟ ମଧ୍ୟ ୩ଟା ବେଳେ ବନ୍ଦ ହୁଏ। ଆମ୍ବୁଲାନ୍ସ ଓ ବିବାହ ସମାରୋହରେ ବାଧା ସୃଷ୍ଟି ହେବ ନାହିଁ। ଲୋକେ ନିଜ ନିଜର କାର୍ଡ ଦେଖାଇ ଯାଇପାରିବେ।
ସେପଟେ ରାଜ୍ୟ ସରକାର ମଧ୍ୟ ଭାରତ ବନ୍ଦକୁ ନେଇ ସତର୍କ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚାଷୀଙ୍କ ପକ୍ଷରୁ ହେଉଥିବା ଭାରତ ବନ୍ଦକୁ ଆଖି ଆଗରେ ରଖି ରାଜ୍ୟଗୁଡ଼ିକୁ ଆଡଭାଇଜରୀ ଜାରି କରିଛନ୍ତି। ରାଜ୍ୟ ଗୁଡ଼ିକ ସୁନିଶ୍ଚିତ କରିବେ ଯେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଏବଂ ଏଥିରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜିବ।
ଏଠାରେ ପ୍ରକାଶଥାଉକି, ଆସନ୍ତାକାଲି ଭାରତ ହେବାକୁଥିବା ବନ୍ଦକୁ କଂଗ୍ରେସ ସମେତ ଏକାଧିକ ପାର୍ଟି ସମର୍ଥନ କରୁଛନ୍ତି। କଂଗ୍ରେସ ବ୍ୟତୀତ ତୃଣମୂଳ କଂଗ୍ରେସ, ଶିବସେନା, ଡିଏମକେ, କମଲ୍ ହାସନଙ୍କ ଏମଏନଏମ, ଆରଜେଡି, ସମାଜବାଦୀ ପାର୍ଟି, ଏନସିପି, ଆମ୍ ଆଦମୀ ପାର୍ଟି, ନୂତନ ଭାବେ ନିର୍ମିତ ଜମ୍ମୁ ଓ କଶ୍ମୀରର ଗୁପକାର ପାର୍ଟି ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।