ଭାରତକୁ ଭାରି ପଡ଼ିବ ଟ୍ରମ୍ପଙ୍କ ‘ଯେସାକୁ ତେସା’ ଟିକସ

ନୂଆଦିଲ୍ଲୀ: ଦ୍ୱିତୀୟ ବାର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ କଂଗ୍ରେସରେ ଅଭିଭାଷଣ ଦେଇଛନ୍ତି ମଙ୍ଗଳବାର । ଭାରତ ଓ ଚୀନ ସମେତ କିଛି ଦେଶଗୁଡ଼ିକର ବେଲଗାମ ଟିକସ ନୀତିକୁ ତୀବ୍ର ସମାଲୋଚନା କରି ଆଗାମୀ ଦିନରେ ତାଙ୍କ ପ୍ରଶାସନ ‘ଯେସାକୁ ତେସା’ ଟିକସ ଆଦାୟ ପନ୍ଥା ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛନ୍ତି ।

ଟ୍ରମ୍ପଙ୍କ ସୂଚନା ମୁତାବକ ଆଗାମୀ ଏପ୍ରିଲ ୨ ତାରିଖଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରି କରାଯାଉଥିବା ବିଦେଶୀ ସାମଗ୍ରୀ ଉପରୁ ଟ୍ରମ୍ପ ପ୍ରଶାସନ ସେତିକି ପରିମାଣର ଟିକସ ଆଦାୟ କରିବେ, ଆମେରିକାସ୍ଥିତ କଳକାରଖାନାରୁ ଉତ୍ପାଦିତ ସାମଗ୍ରୀ ଉପରୁ ସଂପୃକ୍ତ ଦେଶ ଯେତିକି ପରିମାଣର ଟିକସ ଆଦାୟ କରିବ । ଟ୍ରମ୍ପ ତାଙ୍କ ଉଦ୍‌ବୋଧନରେ ଭାରତ, ଚୀନ, ବ୍ରାଜିଲ, ୟୁରୋପୀୟ ୟୁନିଅନ୍‌, ମେକ୍ସିକୋ, କାନାଡ଼ା ଭଳି କିଛି ସରକାରଙ୍କ ଆକାଶଛୁଆଁ ବହିଃଶୁଳ୍କ ଅସୁଲ ନୀତିକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରୁଥିବା ଦେଶ ପ୍ରତି ୱାଶିଂଟନ ସର୍ବଦା ଉଦାର ଟିକସ ନୀତି ଲାଗୁ କରିବ । ମାତ୍ର ଆମେରିକାରୁ ଉତ୍ପାଦିତ ସାମଗ୍ରୀ ଉପରେ ଚଢ଼ା ହାରରେ ଟିକସ ଆଦାୟ କରୁଥିବା ଦେଶଗୁଡ଼ିକ ପ୍ରତି ଟ୍ରମ୍ପ ପ୍ରଶାସନ କଠୋର ଟିକସ ନୀତି ଆପଣାଇବ । ୱାଶିଂଟନ ଉପରେ ଟିକସ ମାଡ଼ କରିଥିବା ଦେଶଗୁଡ଼ିକ ଏବେ ଚଢ଼ାଦରର ଟିକସ ପଇଠ କରିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ବେଶ କିଛି ବର୍ଷ ଧରି ଆମେ ଚଢ଼ାଦରରେ ଟିକସ ଦେଇ ଆସିଛୁ । ଏବେ ଭାରତ ଭଳି ଦେଶଗୁଡ଼ିକ ପ୍ରତି କୋହଳ ମନୋଭାବ ପୋଷଣ କରାଯିବନି ।