୨୦୩୦ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ

ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ୍‌ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ….

ନୂଆଦିଲ୍ଲୀ : ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ୍‌ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି । ଦେଶର ମୋଟ ଜିଡିପି ଅଧିକ ରହିଛି । ଦ୍ରୁତ ଅଭିବୃଦ୍ଧିଶୀଳ ଭାରତ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିବ । ଏହା ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରିବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ଭିରମାନି କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ଅଭିବୃଦ୍ଧି ହାରକୁ ଦେଖିଲେ ୨୦୨୮ରୁ ୨୦୩୦ ମଧ୍ୟରେ ଆମ ଦେଶ ବିଶ୍ୱରେ ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ମୋର ଅନୁମାନ । ଅନ୍ୟପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ରିପୋର୍ଟରେ ମଧ୍ୟ ସମାନ ଆଶାଜନକ ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୨୦୨୭ ମସିହା ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି ହେବ । ସେହିପରି ୨୦୨୯ ସୁଦ୍ଧା ଜାପାନକୁ ପଛରେ ପକାଇ ତୃତୀୟ ବୃହତ୍‌ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ଭାବେ ପରିଚୟ ହାସଲ କରିବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଭାରତର ଜିଡିପି ଅଭିବୃଦ୍ଧି ୧୩.୫ ପ୍ରତିଶତ ରହିଛି । ଏହି ହାରରେ ଭାରତ ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ଅଭିବୃଦ୍ଧି ହାସଲକାରୀ ଦେଶରେ ପରିଣତ ହେବ ।