ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିରେ ଅନେକ ସପନ ଦେଖାଇଛନ୍ତି । ପୁଟିନଙ୍କ ସପନ ଭିତରେ ମୋଦିଜୀ ଓ ବିଜେପି \”ମିଶନ-୨୦୪୭\’କୁ ସେଟ୍ କରିବାକୁ ବସିଛି । ରୁଷିଆ ବଳରେ ଭାରତର ମହାକାଶ ଗବେଷଣା କ୍ଷେତ୍ରଟି ପୂର୍ବାପେକ୍ଷା ଅଢ଼େଇ ଗୁଣା ବିକଶିତ ହେବ । ଭାରତ-ରୁଷିଆ ବନ୍ଧନକୁ ପୃଥିବୀର କୌଣସି ଶକ୍ତି ଛିଣ୍ଡାଇ ପାରିବେନି, ଏମିତି ଏକ କୂଟନୈତିକ ମାହୋଲ ସୃଷ୍ଟି ହୋଇଛି ନୂଆଦିଲ୍ଲୀରେ ।
ଓଜନିଆ ଉପଗ୍ରହକୁ ବହନ କରି ମହାକାଶକୁ ନିମିଷକ ଭିତରେ ଯାତ୍ରା କରି ପାରୁଥିବା ଶକ୍ତିଶାଳୀ ରକେଟ୍ ସେମି-କ୍ରାୟୋଜେନିକ ଇଂଜିନ ନିର୍ମାଣ କୌଶଳ ସଂପର୍କରେ ଭାରତକୁ ଶହେକୁ ଶହେ ବତାଇବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ହୋଇଛନ୍ତି । ଏହି ରକେଟ୍ ନିର୍ମାଣ କୌଶଳ ଜାଣିବା ପରେ ଭାରତ ମହା ଶକ୍ତିଶାଳୀ ଦେଶ ଭାବେ ଉଭା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ବ୍ୟକ୍ତ କରିଛନ୍ତି । ମହାକାଶ କ୍ଷେତ୍ରରେ ଭାରତ ଅନ୍ୟ ବିକଶିତ ଦେଶ ସମକକ୍ଷ ହୋଇପାରିବ । ଆଗାମୀ ଦିନରେ ଦୁଇଦେଶ ମିଳିତ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ କାମ କରିବେ । ଉଭୟ ଦେଶର ମହାକାଶ ବିଜ୍ଞାନୀମାନେ ମିଳିତ ଭାବେ ମହାକାଶକୁ ଯାତ୍ରା କରିବେ । ରୁଷିଆ ଭାରତକୁ ରକେଟ୍ ଇନ୍ଧନ ଯୋଗାଇବାକୁ ରାଜି ହୋଇଛି । ରୁଷିଆ ସହାୟତାରେ ଭାରତ ତା’ର ମହାକାଶ ଗବେଷଣା କ୍ଷେତ୍ରକୁ ସମୃଦ୍ଧ କରିବାର ଆଶା ରଖିଛି । ଭାରତ ବ୍ୟବହାର କରୁଥିବା ରକେଟ୍ ଜ୍ଞାନକୌଶଳ ପୁରୁଣା ହୋଇଗଲାଣି ।
ଏପରିକି ଭାରତ ଯେଉଁ ଇନ୍ଧନକୁ ବ୍ୟବହାର କରି ରକେଟ୍କୁ ମହାକାଶକୁ ପଠାଇଥାଏ, ତାହାକୁ ଆଜିକାଲି କୌଣସି ବିକଶିତ ଦେଶ ବ୍ୟବହାର କରୁନାହାନ୍ତି । ଏବେ ରୁଷିଆ ଯେଉଁ ରକେଟ୍ ଇଂଜିନ ଜ୍ଞାନକୌଶଳ ସଂପର୍କରେ ଭାରତର ଯୁବ ବୈଜ୍ଞାନିକମାନଙ୍କୁ ଅବଗତ କରିବ, ତାହା ଆଗାମୀ ୫ ଦଶନ୍ଧି ପାଇଁ ଭାରତକୁ ଲାଭଦାୟକ ରହିବ ବୋଲି କୁହାଯାଉଛି । ରୁଷିଆର ଆଧୁନିକ ସେମି-କ୍ରାୟୋଜେନିକ୍ ଇଂଜିନ ପାଇଁ ତରଳ ଅକ୍ସିଜେନ୍ ଦରକାର ପଡ଼ିଥାଏ । ରୁଷିଆ ତିଆରି ରକେଟ୍ ଆଉ ତରଳ ହାଇଡ୍ରୋଜେନକୁ ଇନ୍ଧନ ରୂପେ ବ୍ୟବହାର କରୁନି । ମାତ୍ର ଭାରତ ଏ ଯାଏ ତରଳ ହାଇଡ୍ରୋଜେନକୁ ରକେଟ୍ ଇନ୍ଧନ ଭାବେ ବ୍ୟବହାର କରୁଛି ।
ରୁଷିଆ ନିର୍ମିତ ଆରଡି-୧୯୧ ଶ୍ରେଣୀର ରକେଟ୍ ଭାରତର ଇସ୍ରୋ ନିର୍ମିତ ରକେଟ୍ ତୁଳନାରେ ଅଢ଼େଇ ଗୁଣା ଶକ୍ତିଶାଳୀ । ଭାରତ-ଫ୍ରାନ୍ସ ମିଳିତ ଉଦ୍ୟମରେ ନିର୍ମିତ ବିକାଶ ଇଂଜିନର ଥ୍ରଷ୍ଟ୍ କ୍ଷମତା ୬୦-୮୦ ଟନ୍ ଥିଲା ବେଳେ ଆରଡି-୧୯୧ ଇଂଜିନର ଥ୍ରଷ୍ଟ୍ କ୍ଷମତା ୨୦୦-୨୨୦ ଟନ୍ ହେବ । ବିକାଶ ଇଂଜିନ ଭାରତର ପିଏସ୍ଏଲ୍ଭି, ଜିଏସ୍ଏଲ୍ଭି ଓ ଏଲ୍ଭିଏମ୍୩ ରକେଟ୍ରେ ବ୍ୟବହାର କରାଯାଉଛି । ରୁଷିଆ ଆରଡି-୧୯୧ ଶ୍ରେଣୀର ରକେଟ୍ ଇଂଜିନ୍ ବ୍ୟବହାର କରୁଥିଲା ବେଳେ ଆମେରିକା ଆରଡି-୧୮୧ ଶ୍ରେଣୀର ରକେଟ୍ ଇଂଜିନ ଓ ଦକ୍ଷିଣ କୋରିଆ ଆରଡି-୧୫୧ ଶ୍ରେଣୀର ଇଂଜିନ ବ୍ୟବହାର କରୁଛି ।