ସଂଘ ପରିବାର ହାତରେ ଭାରତ ନାଚିବ । ଭାରତର ସମ୍ବିଧାନରୁ ନିରପେକ୍ଷତା (ସେକୁଲାର) ଓ ସମାଜବାଦୀ (ସୋସିଆଲିଜ୍ମ) ଚିନ୍ତାଧାରାକୁ ହଟାଇବାକୁ ରାଷ୍ଟ୍ରୀୟ ସଂଘ ପରିବାର ଚାହୁଁଛି । ସେଥିପାଇଁ ବିଜେପି ନେତାମାନେ ପୁରୁଣା ସମ୍ବିଧାନକୁ ସମାଧି ଦେବା କଥା ଚିନ୍ତା କରୁଛନ୍ତି । ଏକ ଜାତୀୟ ଆଲୋଚନା ଚକ୍ରରେ ଏଭଳି ମତାମତ ପ୍ରକାଶ ପାଇବା କେତେ ଯୁକ୍ତିସଂଗତ?
ଭାରତର ଶାସନ ଡୋରି ବିଜେପି ନେତୃତ୍ୱାଧୀନ ମେଂଟ ହାତକୁ ଚାଲିଯିବା ପରଠାରୁ ଏମିତି ଏକ ପରିବେଶର ଅୟମାରମ୍ଭ ହୋଇଛି । ୨୦୨୩ ଏପ୍ରିଲ ୧୬ ତାରିଖ ଦିନ ଚେନ୍ନାଇରେ ଅନୁଷ୍ଠିତ ଏକ ଜାତୀୟ ସ୍ତରର ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସାଧାରଣ ସଂପାଦକ ମହୋଦୟ ଭାରତର ସମ୍ବିଧାନକୁ ବଦଳାଇବା କଥା କହିଛନ୍ତି ।
ଆର୍ଏସ୍ଏସ୍ ଭାରତର ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ଆହୁରି ରୁଗ୍ଣ କରିବାକୁ ବସିଛି । ‘ଅନେକରେ ଏକତା’, ବିବିଧତା ଭିତରେ ଏକତା, ବହୁବିଧ ଭିତରେ ଗୋଟିଏ ଭାରତ ହେଉଛି ଆମର ପରିଚୟ । ଯୋଉ ଦେଶରେ ଏକାଧିକ ଭାଷାଭାଷୀ, ଏକାଧିକ ଧାର୍ମିକ ଗୋଷ୍ଠୀ, ଏକାଧିକ ସଂପ୍ରଦାୟ, ଏକାଧିକ ପରମ୍ପରା, ଏକାଧିକ ଖାଦ୍ୟପେୟ, ଏକାଧିକ ସଂସ୍କୃତିର ଲୋକମାନେ ବସବାସ କରୁଛନ୍ତି, ସେହି ଦେଶର ସମ୍ବିଧାନରୁ ନିରପେକ୍ଷତା ହଟାଇବା ମାମୁଲି କଥା ନୁହେଁ ।
ସମାଜବାଦୀ ଆଭିମୁଖ୍ୟ ପୋଷଣ କରି ଯୋଉ ଦେଶର ସମ୍ବିଧାନ ଧନୀ-ଗରିବ ମଧ୍ୟରେ ରହିଥିବା ତାରତମ୍ୟକୁ ନିକଟରୁ ନିକଟତର କରିବା ପାଇଁ ନୀତି ପ୍ରଣୟନ କରିବାକୁ ଚାହୁଁଛି, ସେହି ସମ୍ବିଧାନରୁ ସମାଜବାଦୀ ଆଭିମୁଖ୍ୟ ହଟାଇ ଦେବାର ଉପକ୍ରମ ଦେଶକୁ ମେରୁଦଣ୍ଡ ବିହୀନ କରି ଦିଆଯିବା ସଙ୍ଗେ ସମାନ ।
୨୦୦୪ ମସିହାରୁ ସଂଘ ପରିବାରର ବୌଦ୍ଧିକ ଗୋଷ୍ଠୀ ଆମ ସମ୍ବିଧାନରୁ ନିରପେକ୍ଷତା ଓ ସମାଜବାଦୀ ଭଳି ସମ୍ବେଦନଶୀଳ ଶବ୍ଦ ଦୁଇଟିକୁ କେଉଁ ବଳିଷ୍ଠ ଯୁକ୍ତି ବଳରେ ସବୁଦିନ ହଟାଇ ଦେଇହେବ, ସେ ସଂପର୍କରେ ନିରବଚ୍ଛିନ୍ନ ପ୍ରୟାସ କରି ଆସୁଛନ୍ତି ।
ଭାରତକୁ ହିନ୍ଦୁବହୁଳ ରାଷ୍ଟ୍ର କରିବା, ଗରିବ ଭାରତୀୟଙ୍କୁ ହାତଗଣତି କୋଟିପତିଙ୍କ ଗୋଲାମ କରିବା ଓ ଧନୀଲୋକଙ୍କ ସିନ୍ଦୁକରୁ ସଂଘ କମିଶନି ଆଦାୟ କରି ବିଳାସବ୍ୟସନରେ କାଳାତିପାତ କରିବା ଆରଏସ୍ଏସ୍ର ଏକମାତ୍ର ଉଦ୍ଦେଶ୍ୟ ନୁହେଁ ତ?