କାନାଡ଼ା: କାନାଡ଼ାରେ ଜଣେ ଭାରତୀୟ ବଂଶଜ ଛାତ୍ରଙ୍କୁ ଛୁରା ଭୁସି ହତ୍ୟା କରାଯାଇଛି । ଘଟଣାଟି କାନାଡ଼ାର ବ୍ରିଟିଶ କଲମ୍ବିଆ ଅଂଚଳର । ମୃତ ଛାତ୍ରଙ୍କର ବୟସ ୧୮ ବର୍ଷ, ନାମ ମହକପ୍ରୀତ ସେଠୀ । ସ୍କୁଲର ପାର୍କିଂ ସ୍ଥଳରେ ଯାନବାହନ ରଖିବା ଘଟଣାରୁ ସାମାନ୍ୟ ବଚସାରୁ ଜଣେ ୧୭ ବର୍ଷୀୟ ଛାତ୍ର ହାତରେ ଛୁରା ଧରି ମହକଙ୍କୁ ଆକ୍ରମଣ କରିଥିଲା । ସ୍କୁଲ ପ୍ରିନ୍ସିପାଲ ପାର୍କିଂ ସ୍ଥାନରେ ପାଟିତୁଣ୍ଡ ଓ ଛୁରା ମରାମରି କଥା ମାନିଥିଲେ ମଧ୍ୟ ମୃତଛାତ୍ର ତାଙ୍କରି ସ୍କୁଲର ବୋଲି କହିନାହାନ୍ତି ।
ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚିଥିଲା । ଗୁରୁତର ଆହତ ଅବସ୍ଥାରେ ମହକକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ମାତ୍ର ଡାକ୍ତରଖାନାରେ ପହଂଚିବା ପୂର୍ବରୁ ମହକ ପ୍ରାଣ ହରାଇଥିଲା । ପୁଲିସ ଘଟଣାର ପ୍ରାଥମିକ ଅନୁସନ୍ଧାନ କରି କହିଛି, ଉଭୟ ଛାତ୍ର ପରସ୍ପରକୁ ଭଲ ଭାବରେ ଜାଣିଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ାର ସୂତ୍ରପାତ ଘଟି ଛୁରାମାଡ଼ ପର୍ଯ୍ୟନ୍ତ କଥା ଚାଲିଗଲା ।