ନୂଆଦିଲ୍ଲୀ : ଦୁଇ ବର୍ଷରୁ ଅଧିକ ସମୟ ପରେ ଚୀନ କିଛି ଭାରତୀୟ ଛାତ୍ରଙ୍କୁ ପାଠପଢା ପାଇଁ ନିଜ ଦେଶକୁ ଫେରିବା ପାଇଁ ଅନୁମତି ଦେଇଛି । ଏଥିପାଇଁ ଛାତ୍ରଙ୍କଠୁ ଜରୁରୀ ସୂଚନା ମଗାଯାଇଛି । ଭାରତ ସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତ ମାର୍ଚ୍ଚ ୨୫ରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବୈଠକ ପରେ ଚୀନ ଭାରତୀୟ ଛାତ୍ରଙ୍କ ଫେରିବା ଉପରେ ବିଚାର କରିବାକୁ ଚୀନ ଉଚ୍ଛା ପ୍ରକାଶ କରିଛି । ଛାତ୍ରଙ୍କୁ ମେ ୮ ପର୍ଯ୍ୟନ୍ତ ଫର୍ମ ମାଧ୍ୟମରେ ସମସ୍ତ ସୂଚନା ଦେବାକୁ କୁହାଯାଇଛି । ଚୀନରେ ଡାକ୍ତରୀ ପଢୁଥିବା ୨୩ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବା ନେଇ ଅନୁମତି ଦେବାକୁ ଭାରତ ଚୀନ ଉପରେ ଚାପ ପକାଇଥିଲା । ଏହି କ୍ରମରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତ ମାସରେ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ନୂଆଦିଲ୍ଲୀ ଯାତ୍ରା ସମୟରେ ଏହି ପ୍ରସଙ୍ଗକୁ ଉଠାଇଥିଲେ । ଏହି ଛାତ୍ରମାନଙ୍କ ମଧ୍ୟରେ ଅଧିକାଂଶ ଚୀନ କଲେଜରେ ମେଡିକାଲ ପଢୁଛନ୍ତି ।
ଏହା ପୂର୍ବରୁ ଫେବୃଆରୀରେ ଚୀନ କୋଭିଡ୍-୧୯ ମହାମାରୀକୁ ନେଇ ଭିସା କଟକଣାକୁ ଆହୁରି କଡାକଡି କରିଥିଲା । ଏହି କାରଣରୁ ଭାରତରେ ଥିବା ୨୩ ଜାରରୁ ଅଧିକ ଭାରତୀୟ ଛାତ୍ର ଚୀନକୁ ଫେରି ପାରିନଥିଲେ । ଏବେ କେମିତି ସେମାନେ ଶୀଘ୍ର ଚୀନ ଯାଇ ପାଠପଢା ଜାରି ରଖିବେ ତାର ବ୍ୟବସ୍ଥା କରିବାକୁ ଚୀନ ପ୍ରତିଶ୍ରୁତି ଦେଇଛି । ଏଥିସହ ଚୀନ ଭାରତକୁ ଆଶ୍ୱାସନା ଦେଇଥିଲା ଯେ ଭାରତୀୟ ଛାତ୍ରଙ୍କ ସହ କୌଣସି ପ୍ରକାରର ଭେଦଭାବ କରାଯିବ ନାହିଁ । କାରଣ ସେମାନଙ୍କର ପାଠପଢା ପୁଣିଥରେ ଆରମ୍ଭ କରାଇବାରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ ।