ନୋଏଡାରେ ଭାରତର ପ୍ରଥମ ଏଆଇ କ୍ଲିନିକ୍‌

ଭାରତର ସରକାରୀ ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ….

ନୂଆଦିଲ୍ଲୀ: ଭାରତର ସରକାରୀ ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ଐତିହାସିକ ପରିବର୍ତନ ଘଟିଛି। ସରକାରୀ ହସ୍ପିଟାଲଗୁଡିକୁ ଅଧିକ ଆଧୁନିକ ଓ ଟେକ୍ନୋଲୋଜି ସମ୍ପନ୍ନ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଗ୍ରେଟର୍‌ ନୋଏଡାର ଗଭର୍ନମେଂଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ରେ ଖୋଲିଛି ଦେଶର ପ୍ରଥମ ସରକାରୀ ହସ୍ପିଟାଲ-ଆଧାରିତ ଏଆଇ କ୍ଲିନିକ୍‌।

ଏହି ପ୍ରୟାସକୁ କେବଳ ଉତରପ୍ରଦେଶ ପାଇଁ ନୁହେଁ, ବରଂ ସମଗ୍ର ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ରୂପେ ବିବେଚନା କରାଯାଉଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବାର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଏହି ଏଆଇ କ୍ଲିନିକ୍‌ ଅନ୍‌ଲାଇନ୍‌ ଉନ୍‌ମୋଚିତ ହୋଇଛି। ଗଭର୍ନମେଂଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ସେଂଟର୍‌ ଫର୍‌ ମେଡିକାଲ ଇନୋଭେସନ୍‌ ଅଧୀନରେ କ୍ଲିନିକ୍‌ ପ୍ରତିଷ୍ଠା ହୋଇଛି। ସରକାରୀ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କୁ ସିଧାସଳଖ ଏଆଇ-ଆଧାରିତ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ଜିଆଇଏମ୍‌ଏସ୍‌ ନିର୍ଦ୍ଦେଶକ ଡା. ରାକେଶ କୁମାର ଗୁପ୍ତା କହିଛନ୍ତି, ଏହି ପ୍ରୟାସ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍‌ଗୁଡିକ ପାଇଁ ନୂଆ ସୁଯୋଗ ପ୍ରଦାନ କରିବ। ଏହା ସମୟର ଆବଶ୍ୟକତା, ଯାହା ମାଧ୍ୟମରେ ଉଦ୍ଭାବନ ଉଭୟ ଡାକ୍ତର ଓ ରୋଗୀଙ୍କ ପାଖରେ ସିଧାସଳଖ ପହଂଚିବ।