ନୂଆଦିଲ୍ଲୀ : ସୀମା ଅପରପାଶ୍ୱରେ ଚୀନର ସାମରିକ ଗତିବିଧି ସନ୍ଦେହଜନକ ଲାଗୁଥିବାବେଳେ ଭାରତ ମଧ୍ୟ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉନାହିଁ । ବର୍ତ୍ତମାନ ପାକିସ୍ତାନ ପରିବର୍ତ୍ତ ଭାରତର ନଜର ଚୀନ ସୀମା ଉପରେ ନିବଦ୍ଧ ରହିଛି । ଚଳିତବର୍ଷ ଫେବୃଆରୀ ୨୫ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମାକୁ କଡାକଡି ଭାବେ ପାଳନ କରାଯାଉଛି । ତେଣୁ ପାକିସ୍ତାନ ଅପେକ୍ଷା ଚୀନ ବର୍ତ୍ତମାନ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା କୁହାଯାଉଛି । ଭାରତ ଇତିମଧ୍ୟରେ ଚୀନ୍ ସୀମା ନିକଟକୁ ୫୦ ହଜାର ଅତିରିକ୍ତ ସୈନ୍ୟ ପଠାଇଛି । ସୂଚନା ଅନୁଯାୟୀ ଗତ ଦୁଇମାସ ଭିତରେ ଭାରତ ଏଭଳି ସମ୍ବେଦନଶୀଳ ସ୍ଥାନରେ ୨ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିସାରିଲାଣି । ସୀମାରେ ଭାରତ ଅଧିକ ସଂଖ୍ୟକ ସେନା ମୁତୟନ କରୁଥିବା ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ସହ ଆଲୋଚନା କରିବାକୁ ଚୀନ୍ ସବୁବେଳେ ଆଗ୍ରହୀ । ତେବେ ସୀମାରେ ଭାରତ ପକ୍ଷରୁ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରାଯିବା ଦ୍ୱାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି । ବିବାଦର ସମାଧାନ ନିମନ୍ତେ ପୁଣି ଆଲୋଚନା ହେଉ ବୋଲି ଚୀନ କହିଛି । ସମ୍ବେଦନଶୀଳ ସ୍ଥାନଗୁଡିକରୁ ଚୀନ ସେନା ପଛକୁ ହଟିଲେ, ଭାରତ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି।