ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଅନ୍ୟପକ୍ଷରେ ବିଦେଶରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଅର୍ଥ ନାହିଁ । ଏହି ସମୟରେ ସହାୟତାର ହାତ ବଢାଇ ଶ୍ରୀଲଙ୍କାର ଡୁବୁଥିବା ଅର୍ଥବ୍ୟବସ୍ଥାକୁ ବଞ୍ଚାଇ ଦେଇଛି ଭାରତ । ସେହିପରି ୯୦ କୋଟି ଡଲାରର ଋଣ ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି ।
ଏହି ଘୋଷଣା ପରେ ଶ୍ରୀଲଙ୍କାର ଅର୍ଥଶାସ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ଭାରତର ଏହି ସହାୟତାକୁ ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟତଃ ଖାଲି ହୋଇ ଯାଇଛି । ଆଉ ଦେଶ ଦେବାଳିଆ ହେବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଶ୍ରୀଲଙ୍କା ଅର୍ଥଶାସ୍ତ୍ରୀ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ, ବିଦେଶୀ ମୁଦ୍ରାର ଅଭାବ କାରଣରୁ ଶ୍ରୀଲଙ୍କାକୁ ତତ୍କାଳ ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ଋଣ ନେବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିର ମୁକାବିଲା ପାଇଁ ଭାରତ ୯୦ କୋଟି ଡଲାର ଋଣ ଶ୍ରୀଲଙ୍କାକୁ ଦେବାକୁ ଘୋଷଣା କରିଛି । ଭାରତର ଏହି ସହାୟତା ଦେଶର ମୁଦ୍ରା କୋଷର ସୁଧାରରେ ସହାୟକ ହେବ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି କୋଭିଡ୍-୧୯ ମହାମାରୀରୁ ଉତ୍ପନ ଆର୍ଥିକ ସମସ୍ୟା ଏବଂ ଅନ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ଶ୍ରୀଲଙ୍କାକୁ ସହାୟତା ଦେବା ଜାରି ରଖିବ । ସେହିପରି ଜୟଶଙ୍କର କହିଛନ୍ତି ଘନିଷ୍ଠ ବନ୍ଧୁ ଏବଂ ସମୁଦ୍ରର ପଡୋଶୀ ଦେଶ ଭାରତ ଏବଂ ଶ୍ରୀଲଙ୍କା ଉଭୟ ଆର୍ଥିକ ସମ୍ବନ୍ଧରୁ ଲାଭ ଉଠାଇବାକୁ ପ୍ରସ୍ତୁତ ।