ନୂଆଦିଲ୍ଲୀ : ଶ୍ରୀଲଙ୍କାକୁ ଭାରତ ପୁଣି ଥରେ ଏକ ବଡ ସହାୟତା ପ୍ରଦାନ କରିବ । ଇନ୍ଧନ ଆମଦାନୀ ପାଇଁ ଅତିରିକ୍ତ ୫୦୦ ମିଲିୟନ ଡଲାର ସହାୟତା ପ୍ରଦାନ କରିବ ଭାରତ । ଶ୍ରୀଲଙ୍କାର ଏକ ବିଲିୟନ ଡଲାର ନିବେଦନ କ୍ରମେ ଭାରତ ଏହି ରାଶି ପ୍ରଦାନ କରିପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ସବୁଠୁ ଉତ୍କଟ ବୈଦେଶିକ ମୁଦ୍ରା ସଙ୍କଟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବକୁ ନେଇ ଶ୍ରୀଲଙ୍କା ଅତ୍ୟନ୍ତ ନିରାଶ ହୋଇପଡିଥିବା ବେଳେ ଚୀନ ସହାୟତା ପାଇଁ ଆଗକୁ ଆସୁନାହିଁ । ଏପରି ସ୍ଥଳେ ଭାରତ ତାର ସହଯୋଗ ପ୍ରକ୍ରିୟା ଜାରି ରଖିଛି । ପୂର୍ବରୁ ମଧ୍ୟ ଭାରତ ୧.୫ ବିଲିୟନ ଡଲାରରୁ ଅଧିକ ଋଣ ପ୍ରଦାନ କରିସାରିଛି । ଶ୍ରୀଲଙ୍କାରେ ଅର୍ଥନୈତିକ ସ୍ଥିତି ଗଭୀର ଭାବେ ପ୍ରଭାବିତ ହୋଇଛି ।
ସୂଚନାଯୋଗ୍ୟ ଯେ, ଏହି ସମୟରେ ଉଭୟ ଭାରତ ଏବଂ ଚୀନକୁ ସହାୟତା ପାଇଁ ଅନୁରୋଧ କରିଥିଲେ ଶ୍ରୀଲଙ୍କା କର୍ତ୍ତୃପକ୍ଷ । କଲମ୍ବୋଙ୍କ ଭାରତକୁ ୧ ବିଲିୟନ ଡଲାରର ସହୟତା ପ୍ରଦାନ କରିବାକୁ ଅନୁରୋଧ କରିଥିବା ବେଳେ ଭାରତ ୫୦୦ ମିଲିୟନ ଡଲାରର ସହୟତା ତୁରନ୍ତ ପ୍ରଦାନ କରିଥିଲା । ଅନ୍ୟପଟେ ଶ୍ରୀଲଙ୍କା ସହ ଦୀର୍ଘବର୍ଷର ବାଣିଜ୍ୟିକ ସମ୍ପର୍କ ଥିବା ଚୀନ କିନ୍ତୁ ଶ୍ରୀଲଙ୍କାର ସହାୟତା ନିବେଦନକୁ ଗୁରୁତ୍ୱ ନଦେବା ସହ ଅସମର୍ଥତା ପ୍ରକାଶ କରିଛି । ବର୍ତ୍ତମାନର ସଙ୍କଟକୁ ଏଡାଇବା ପାଇଁ ଶ୍ରୀଲଙ୍କାକୁ ଅତି କମରେ ୪ ବିଲିୟନ ଡଲାରର ଆବଶ୍ୟକତା ରହିଛି । ସେହିପରି ଶ୍ରୀଲଙ୍କାର ଏକମାତ୍ର ଭୌଗଳିକ ପଡୋଶୀ ଭାରତ ସଙ୍କଟ ଆରମ୍ଭରୁ ସବୁ ପ୍ରକାର ସହାୟତା ଯୋଗାଇ ଚାଲିଛି । ଏକାଧିକ ପର୍ଯ୍ୟାୟରେ ଇନ୍ଧନ, ଶସ୍ୟ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିସାରିଛି ଭାରତ ।