ପୁଲିସ ଜାଣତରେ ଭାରତ-ବାଂଲା ଗୋରୁଚାଲାଣ

ବାଂଲା ମାଟିରେ ପ୍ରତି ଭାରତୀୟ ଗାଈ ମୂଲ ଦେଢ଼ଲକ୍ଷ

୧୫୦ କୋଟି ଟଙ୍କା ନିଅନ୍ତି ନେତା, ପୁଲିସ୍‌ ଓ ବିଏସ୍‌ଏଫ୍‌…….

କୋଲକାତା: ଦୁଇଟି କଦଳୀ ଗଛ ମଝିରେ ଗାଈର ମୁଣ୍ଡଟିକୁ ଭଲକରି ବାନ୍ଧି ଦିଆଯାଏ । ଚାରିଖୁରାକୁ ଦଉଡ଼ିରେ ବାନ୍ଧି ଦିଆଯାଏ । ପାଣି ଉପରକୁ କେବଳ ଗାଈର ମୁଣ୍ଡଟି ଦେଖାଯାଏ । ଶରୀରଟି ପାଣି ଭିତରେ ବୁଡ଼ି ରହିଥାଏ । ଏହିଭଳି କିଛି ମିନିଟ୍‌ ପହଁରି ପହଁରି ନଦୀ ପାର ହୋଇଯାନ୍ତି ଗୋରୁପଲ । ନଦୀ ଆରପଟେ ଠିଆ ହୋଇଥାନ୍ତି ଗୋରୁ ଦଲାଲ । ଗୋରୁପଲକୁ ନଦୀପାଣିରୁ ବାହାର କରି ବାଂଲାଦେଶ ପଠାଇ ଦିଅନ୍ତି । ଇଦ୍‌ ଅବସରରେ ଗୋଟିଏ ଗାଈର ମୂଲ୍ୟ ପ୍ରାୟ ଦେଢ଼ଲକ୍ଷ ଟଙ୍କା । ଆମେ ଯେଉଁ ଗୋରୁଚାଲାଣ କଥା କହୁଛୁ; ତାହା ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିବାର ସତ ଖବର । ସବୁକିଛି ବେପାର ପାଇଁ କୋଡ୍‌ ନେମ୍‌ ବ୍ୟବହାର କରାଯାଏ । ଗୋରୁ ଦଲାଲମାନେ ଗାଈ ଓ ବାଛୁରିକୁ ପେପ୍‌ସୀ କହନ୍ତି । ଗୋରୁଚାଲାଣର ମାଷ୍ଟର ମାଇଣ୍ଡ ହେଉଛି ଅନୁବ୍ରତ ମଣ୍ଡଳ ।

ବୀରଭୂମ ଅଂଚଳର ଅନୁବ୍ରତ ମଣ୍ଡଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହକର୍ମୀଙ୍କ ଭିତରୁ ଜଣେ । ଅଗଷ୍ଟ ୧୧ ତାରିଖରେ ସିବିଆଇ ଟିମ୍‌ ଗୋରୁଦଲାଲ ଅନୁବ୍ରତ ମଣ୍ଡଳକୁ ଗିରଫ କରିଥିଲା । ଗୋରୁଚାଲାଣ ମାମଲାର ସତ୍ୟତା ଜାଣିବା ପାଇଁ କିଛି ପଶୁପ୍ରେମୀ ଭାରତ-ବାଂଲା ସୀମାନ୍ତ ନିକଟରେ ପହଂଚିଲେ । ଜଣାପଡ଼ିଲା ଯେ ଭାରତରେ ଯୋଉ ଗୋରୁର ମୂଲ୍ୟ ୩୦ ହଜାର ଟଙ୍କା; ବାଂଲାରେ ପହଂଚିବା ପରେ ସେଇ ଗାଈଟିର ମୂଲ୍ୟ ପ୍ରାୟ ଦେଢ଼ଲକ୍ଷ ଟଙ୍କା । ଭାରତରୁ ବାଂଲାକୁ ପଠାଯାଉଥିବା ଗୋରୁଚାଲାଣର ନିଚ୍ଛକ ସତ ଆପଣଙ୍କୁ ଜଣାଉଛୁ ।

କୋଲକାତାରୁ ଛାନଭିନ୍‌ ଆରମ୍ଭ କଲୁ । ବିଶେଷ ସୂତ୍ରରୁ ଜାଣିବାକୁ ପାଇଲୁ ଯେ ମୁର୍ଶିଦାବାଦ ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଗାଁ ‘ଜାଲଙ୍ଗୀ’ । ସେହିଠାରୁ ବାଂଲାଦେଶ ଦୂରତା ମାତ୍ର ୫ କିଲୋମିଟର । ବେଶ କିଛିବର୍ଷ ଧରି ସେହିଠାରୁ ବାଂଲାଦେଶକୁ ଚାଲିଛି ବେଆଇନ ଗୋରୁଚାଲାଣ । କୋଲକାତାରୁ ୩୪ ନମ୍ବର ଜାତୀୟ ରାଜପଥ ଉପରେ ଚାଲିଲୁ । ଉତର ୨୪ ପ୍ରଗଣା ଜିଲ୍ଲାର ଆମଡାଙ୍ଗା ବ୍ଲକ ଦେଇ ଯାଉଥିଲା ବେଳେ ଗୋଟିଏ ଟେମ୍ପୋ ଉପରେ ଦୃଷ୍ଟି ପଡ଼ିଲା । ଉକ୍ତ ଟେମ୍ପୋରେ ଗାଈବାଛୁରିଙ୍କୁ ବୋଝେଇ କରାଯାଉଥିଲା । ଟେମ୍ପୋ ନିକଟରେ ଦୁଇଜଣ ପୁଲିସ କର୍ମଚାରୀ ଠିଆ ହୋଇଥିଲେ । ଆମେ ଟେମ୍ପୋଠାରୁ କିଛି ମିଟର ଦୂରରେ ଆମ ଗାଡ଼ିକୁ ରଖିଲୁ ।

ତହୁଁ ଜଣେ ପୁଲିସ କର୍ମଚାରୀ ଆମ ନିକଟକୁ ଆସି କହିଲେ, ‘ଏଇଟା ମୁଖ୍ୟ ରାସ୍ତା । ଏଠି ଗାଡ଼ି ରଖିବା ମନା; ଆଗକୁ ଚାଲ ।’ ଆମେ ଟେମ୍ପୋ ଭର୍ତି ଗାଡ଼ିଟିର ଫଟୋ ଓ ଭିଡିଓ ନେବାକୁ ଚେଷ୍ଟା କରିବାରୁ ପୁଲିସ କର୍ମଚାରୀ ଆଖିରେ ଇଶାରା କରି ଫଟୋ ଉଠାକୁ ବାରଣ କଲା । ତା’ ସହିତ ସେଠାରୁ ପଳାଇବାକୁ ଇଙ୍ଗିତ ଦେଲା । ଆମେ ଖଣ୍ଡେ ବାଟ ଆଗକୁ ଯାଇ ଗାଡ଼ି ଅଟକାଇଲୁ, ପୁଣି ଗୋରୁ ଭର୍ତି ଟେମ୍ପୋ ଫଟୋ ଉଠାଇବାକୁ ଚେଷ୍ଟା କଲୁ । ପୁଲିସ ଆମ ନିକଟକୁ ଆସି କହିଲା, ‘ପୁଣି ଏଠି କ’ଣ ପାଇଁ ଅଟକିଲ, ପଳାଅ ।’
ଆମେ ଗାଡ଼ି ଚଲାଇ ଆଗକୁ ଗଲୁ । ଗୋଟିଏ ଚା’ ଦୋକାନ ପାଖରେ ଅଟକିଲୁ । ଚା’ ବାଲା ଆମକୁ କହିଲା, ପୁଲିସ ଗୋରୁଦଲାଲଙ୍କଠାରୁ ଲାଂଚ ନେଇ ଗୋରୁ ଧରି ଯାଉଥିବା ଟେମ୍ପୋକୁ ଛାଡ଼ିଦିଏ । ଲାଂଚ ଦେଉ ନଥିବା ଗୋରୁ ବୋଝେଇ ଟେମ୍ପୋକୁ ପୁଲିସ ହଇରାଣ କରେ ।

କିଛି ସମୟ ଭିତରେ ଗୋରୁବୋଝେଇ ଟେମ୍ପୋଟି ଆମ ଗାଡ଼ିକୁ ଅତିକ୍ରମ କଲା । ଆମେ ଟେମ୍ପୋ ପଛେପଛେ ଚାଲିଲୁ । ଟେମ୍ପୋଟି ନଦିୟା ଜିଲ୍ଲାର ହରିଙ୍ଗଘାଟା ଅନ୍ତର୍ଗତ ବିରୋହୀ ଗାଁରେ ଅଟକିଲା । ସେଠାରେ ଗୋରୁହାଟ ଚାଲିଥିଲା । ହାଟ ପରିଚାଳକ ରାସ୍ତାକଡ଼ରେ ଚେୟାର ଟେବୁଲ ପକାଇ ବସିଥିଲେ । ଗୋରୁହାଟରେ ଗୋରୁ ବିକା-କିଣା ପାଇଁ କ୍ରେତା-ବିକ୍ରେତା ଓ ଦଲାଲ ମହଜୁଦ ଥିଲେ । ଆମେ ଫଟୋ ଉଠାଉଥିବାର ଦେଖି ଗୋରୁହାଟ ପରିଚାଳକ ପଚାରିଲା, ‘ର୍ଆପଣମାନେ କିଏ, ଫଟୋ କାହିଁକି ଉଠାଉଛ । ତୁରନ୍ତ ଫଟୋ ଉଡ଼ାଅ ।’ ତାକୁ ଦେଖାଇବା ପାଇଁ ଆମେ ଗୋଟିଏ ଦୁଇଟି ଫଟୋ କାଟି ଉଡାଇଲୁ । ଗାଡ଼ି ଧରି ଆଗକୁ ଚାଲିଲୁ । ବିରୋହୀଠାରୁ ପ୍ରାୟ ଦୁଇଘଂଟା ଯାତ୍ରା କରିବା ପରେ ଜାଲଙ୍ଗୀ ପହଂଚିଲୁ ।

ସେଠାରେ ଆମେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗରୁ ସବୁ ପ୍ରକାର ସହଯୋଗ ପାଇଲୁ । ପ୍ରଥମ ଦିଗଟି ଭାରତ-ବାଂଲା ସୀମାନ୍ତ ଯୋଉଠି ଅବାଧରେ ବେଆଇନ ଗୋରୁଚାଲାଣ ଚାଲିଛି । ଦ୍ୱିତୀୟଟି ସୀମା ସୁରକ୍ଷା ବାହିନୀର ଜଣେ ଇଂଟେଲିଜେନ୍ସ ଅଧିକାରୀ ଯେ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି ଆମ ଆଗରେ ଗୋରୁଚାଲାଣର ପ୍ରତିଟି ରହସ୍ୟ ସମ୍ପର୍କରେ ସୂଚନା ଦେଲେ । ତୃତୀୟଟି ଜଣେ ଗୁପ୍ତ ସୂଚନାଦାତା ଯେ ସିଆଇଡି-ସିବିଆଇ ଭଳି ସଂସ୍ଥାଠାରୁ କମିଶନ ପାଇ ଗୋପନରେ ସୂଚନା ଦେଇଥାନ୍ତି ।
ପଦ୍ମାନଦୀ କୂଳରେ ଜାଲଙ୍ଗୀ ଗାଁ । ନଦୀର ଦୁଇକୂଳ ଭାରତ-ବାଂଲାକୁ ଛୁଇଁଛି ।

ନଦୀର ଚଉଡ଼ା କୋଉଠି ୧୦୦ ମିଟର ତ କୋଉଠି ୨/୩ କିଲୋମିଟର । ବର୍ଷାଦିନକୁ ବାଦଦେଲେ ନଦୀରେ ଏପରି କିଛି ସ୍ଥାନ ଅଛି ଯୋଉଠି ଚାଲିଚାଲି ସୀମା ଅତିକ୍ରମ କରିହୁଏ । ଏହି ନଦୀବାଟ ଦେଇ କାହିଁ କେଉଁ ଅମଳରୁ ବେଆଇନ ଗୋରୁଚାଲାଣ ଚାଲିଛି । କିଛି ବି କାମ ଲୁଚାଚୋରାରେ ଚାଲୁନି । ସବୁ ନେତା, ପୁଲିସ ଓ ବିଏସ୍‌ଏଫ୍‌ ଜାଣତରେ ଚାଲିଛି । କିଛି ଗୋରୁଦଲାଲଙ୍କ ସୂଚନା ଅନୁସାରେ ଗୋରୁଚାଲାଣ ବାବଦକୁ ବାର୍ଷିକ ପ୍ରାୟ ୧୫୦ କୋଟି ଟଙ୍କା କମିଶନ ଆକାରରେ ଚାଲିଯାଏ ଭାରତର ରାଜନେତା, ପୁଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ପକେଟକୁ ।