ନଆଦିଲ୍ଲୀ: ଦେଶରେ କରୋନା ପରେ ଏବେ ସ୍ୱାଇନ ଫ୍ଲୁ ଆତଙ୍କ ଦେଖାଦେଇଛି । ଦେଶରେ ଜାରି ରହିଛି ଗୋଟିଏ ପରେ ଗୋଟିଏ ମହାମାରୀର ଆତଙ୍କ । କରୋନା ସହ ସ୍ୱାଇନ ଫ୍ଲୁର ଆତଙ୍କ ମଧ୍ୟ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ଗତକାଲି ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ବ୍ୟକ୍ତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହି କାରଣରୁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ।
ସ୍ୱାଇନ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ସାରା ଦେଶରେ ବଢ଼ି ଚାଲିଛି । କେବଳ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୧୪୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିଯୋଗୁ ପ୍ରାୟ ୭ ଜଣ ପ୍ରାଣ ହରାଇ ସାରିଲେଣି । ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ୱାଇନ ଫ୍ଲୁ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହା ଦୃଷ୍ଟିରେ ରଖି ଦିଲ୍ଲୀ, ମହାରାଷ୍ଟ୍ର ସମେତ ଉତ୍ତର ପ୍ରଦେଶରେର ହାଇ ଆଲର୍ଟ ଜାରି କରାଯାଇଛି । ଏହି ସଂକ୍ରମଣ ଗୁରୁତର ହେଲେ ନିମୋନିଆ ଏବଂ ଛାତିରେ ଯନ୍ତ୍ରଣା ହୋଇପାରେ । ତେଣୁ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ୪୮ ଘଣ୍ଟା ଭିତରେ ନିଜର ଚିକିତ୍ସା କରାଇବା ଉଚିତ ।