ଅନ୍ତର୍ଜାତୀୟ ଯୋଗ ଦିବସ@୨୦୨୪

ଏଥରର ଥିମ୍‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ କରାଯାଇଛି। ଶ୍ରୀନଗରରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ ଯୋଗ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟ ୭ ହଜାର ଲୋକଙ୍କ ସହ ଏକତ୍ର ଯୋଗ କଲେ ମୋଦି।

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଯୋଗ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି। ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ୱରୁ ବହୁ ପର୍ୟ୍ୟଟକ ଭାରତ ଆସୁଛନ୍ତି। ଯୋଗ ଯୁବପିଢିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି।

ଶ୍ରୀନଗରରେ ଯୋଗ ମାଧ୍ୟମରେ ମିଳିଥିବା ଶକ୍ତି ଆମେ ଅନୁଭବ କରିପାରିବା। ଦେଶର ଲୋକ ତଥା ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କୁ ମୁଁ ଯୋଗ ଦିବସର ଶୁଭେଚ୍ଛା ଜଣାଉଛି। ଆନ୍ତର୍ଜାତୀୟ ଯୋଗ ଦିବସ ୧୦ବର୍ଷର ଐତିହାସିକ ଯାତ୍ରା ସମାପ୍ତ କରିଛି। ୨୦୧୪ ରେ ଆନ୍ତର୍ଜାତୀୟ ଉତ୍ସବ ପାଳନ ନେଇ ପ୍ରସ୍ତାବ ଦେଇଥିଲି। ମିଳିତ ଜାତିସଂଘରେ ଭାରତର ଏହି ପ୍ରସ୍ତାବକୁ ୧୭୭ ଦେଶ ସମର୍ଥନ କରିଥିଲେ ଏବଂ ଏହା ଏକ ରେକର୍ଡ ଥିଲା।

ସେହିପରି ଓଡ଼ିଶାରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ। ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସୁସ୍ଥ ଜୀବନ ପାଇଁ ଦରକାର ଯୋଗ। କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ। ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି।