ଇମ୍ଫାଲ: ମଣିପୁରରେ ସଙ୍ଗଠନ ନେତାଙ୍କ ମୁକ୍ତିକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ମଣିପୁରରେ ଲାଗୁ ହୋଇଛି ୧୪୪ ଧାରା ସହ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ମଣିପୁରର ବିଷ୍ଣୁପୁରରେ ଏକ ସମ୍ପ୍ରଦାୟର ଯୁବକ ଭ୍ୟାନରେ ନିଆଁ ଲଗାଇଦେବା ପରେ ରାଜ୍ୟରେ ତୀବ୍ର ସାମ୍ପ୍ରଦାୟିକ ହିଂସା ଓ ଅସ୍ଥିର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ ରାଜ୍ୟ ସରକାର ଦ୍ୱାରା ଆଗତ ନୂଆ ବିଲକୁ ବିରୋଧ କରି ଅଲ ଆଦିବାସୀ ଛାତ୍ର ସଙ୍ଗଠନ ମଣିପୁରର ଇମ୍ଫାଲରେ ଜୋରଦାର ହଙ୍ଗାମା କରିଥିଲେ ।
ଆଦିବାସୀ ଛାତ୍ରମାନଙ୍କ ସଂଗଠନ ଦ୍ୱାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ଏହି ସମୟରେ ଛାତ୍ର ସଙ୍ଗଠନ ଭଙ୍ଗାରୁଜା କରିବା ସହ କେତେକ ଗାଡିରେ ନିଆଁ ଲଗାଇ ଦେଇଥିଲେ । ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଛାତ୍ର ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ୩୦ରୁ ଅଧିକ ଛାତ୍ର ଆହତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରୁ ପାଞ୍ଚ ଜଣ ଆଦିବାସୀ ଛାତ୍ର ନେତାଙ୍କୁ ଗିରଫ କରି ୧୫ ଦିନ ପାଇଁ ରିମାଣ୍ଡରେ ପଠାଇଥିଲା । ବର୍ତ୍ତମାନ ଛାତ୍ର ସଂଗଠନ ଏହି ଗିରଫ ନେତାମାନଙ୍କୁ ମୁକ୍ତ କରିବାକୁ ଦାବି କରୁଛି ।