ନୂଆଦିଲ୍ଲୀ/ମୁମ୍ବାଇ: ଟ୍ରମ୍ପଙ୍କ ଶୁଳ୍କ ଧମକ ଏବଂ ଅନ୍ୟାନ୍ୟ ଭୂ-ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ଭାରତ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଏକ ନୂଆ ପ୍ରସ୍ତାବ ଦେଇଛି। ବ୍ରିକ୍ସ ସଦସ୍ୟଗୁଡିକ ସେମାନଙ୍କ ବାଣିଜ୍ୟ କ୍ଷେତ୍ରରେ ନିଜ ନିଜ ଦେଶର ଡିଜିଟାଲ ମୁଦ୍ରା ବ୍ୟବହାର କରିବା ଲାଗି କହିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ଡିଜିଟାଲ ମୁଦ୍ରାକୁ ଯୋଡିବା ପ୍ରସ୍ତାବ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ କହିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି। ନିଜ ନାମ ଗୋପନ ରଖି ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଭାରତରେ ଚଳିତବର୍ଷ ହେବାକୁ ଥିବା ବ୍ରିକ୍ସର ଅଷ୍ଟାଦଶ ଶିଖର ବୈଠକରେ ଏ ସଂକ୍ରାନ୍ତ କାର୍ୟ୍ୟସୂଚୀ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ସୁପାରିସ କରିଛି।
ଏହା କାର୍ୟ୍ୟକାରୀ ହେଲେ ଭାରତ ସମେତ ବ୍ରିକ୍ସର ଅନ୍ୟାନ୍ୟ ଦେଶଗୁଡିକୁ ବାଣିଜ୍ୟିକ କାରବାର ପାଇଁ ଡଲାର ଉପରେ କମ୍ ନିର୍ଭର କରିବାକୁ ପଡିବ। ଯଦି ଭାରତ ସରକାର ପ୍ରସ୍ତାବ ରଖନ୍ତି ଏବଂ ବ୍ରିକ୍ସ ଦେଶଗୁଡିକ ଏହାକୁ କାର୍ୟ୍ୟକାରୀ କରନ୍ତି। ତା’ ହେଲେ ଏ କ୍ଷେତ୍ରରେ ଏକ ବଡ ସଫଳତା ବ୍ରିକ୍ସ ଦେଶଗୁଡିକୁ ମିଳିବ। ତେବେ ଏହି ମୁଦ୍ରା ସଂପର୍କରେ କରାଯାଇଥିବା ପ୍ରଶ୍ନ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ, କେନ୍ଦ୍ର ସରକାର ଏବଂ ବ୍ରାଜିଲର କେନ୍ଦ୍ରୀୟ ବ୍ୟାଙ୍କ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କିନ୍ତୁ ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ ପକ୍ଷରୁ କୁହାଯାଇଛି ଏହି ପ୍ରସଙ୍ଗ ଉପରେ ମତ ରଖିବାକୁ ତା ନିକଟରେ କୌଣସି ସୂଚନା ନାହିଁ। ରୁଷ୍ ଏବଂ ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ବ୍ୟାଙ୍କ ମତାମତ ଦେବାକୁ ମନା କରିଦେଇଛନ୍ତି। ବ୍ରିକ୍ସର ପ୍ରମୁଖ ସଦସ୍ୟମାନେ ହେଲେ ବ୍ରାଜିଲ, ରୁଷ୍, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା।
ବ୍ରାଜିଲର ରିଓ ଡି ଜେନିରୋଠାରେ ଅନୁଷ୍ଠିତ ୨୦୨୫ ବ୍ରିକ୍ସ ସମ୍ମିଳନୀ ଘୋଷଣାନାମାରେ ସଦସ୍ୟ ଦେଶଗୁଡିକ ସେମାନଙ୍କ ଅନ୍ତର୍ଜାତୀୟ ବାଣିଜ୍ୟକୁ ଅଧିକ ଦକ୍ଷ କରିବା ଲାଗି ପେମେଂଟ୍ ବ୍ୟବସ୍ଥାକୁ ସୁଗମ କରିବା ଲାଗି କୁହାଯାଇଥିଲା।
ସେହି ଆଧାରରେ ରିଜର୍ଭ ବ୍ୟାଙ୍କ ଏଭଳି ପ୍ରସ୍ତାବ ରଖିଥିବା କୁହାଯାଉଛି। ଯଦିଓ ବ୍ରିକ୍ସର କୌଣସି ସଦସ୍ୟ ରାଷ୍ଟ୍ର ଡିଜିଟାଲ୍ ମୁଦ୍ରା ସଂପୂର୍ଣ୍ଣ ଭାବେ କାର୍ୟ୍ୟକାରୀ କରି ନାହାନ୍ତି ତଥାପି ୫ ମୁଖ୍ୟ ସଦସ୍ୟ ରାଷ୍ଟ୍ର ପାଇଲଟ୍ ପ୍ରକଳ୍ପ ଚଳାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଡିଜିଟାଲ ମୁଦ୍ରା ‘ଇ-ରୁପି’ ୨୦୨୨ ଡିସେମ୍ବରରେ ଆରମ୍ଭ କରିଛି। ପ୍ରାୟ ୭୦ ଲକ୍ଷ ବ୍ୟକ୍ତି ଏହାର ବ୍ୟବହାର କରୁଛନ୍ତି।
ଅନ୍ୟପକ୍ଷରେ ଡିଜିଟାଲ ୟୁଆନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଚୀନ ପ୍ରତିବଦ୍ଧ ବୋଲି କହିଛି।
ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ଡିଜିଟାଲ ମୁଦ୍ରାରେ ବାଣିଜ୍ୟ କାରବାରକୁ ସଫଳ କରିବାକୁ ହେଲେ ପ୍ରଯୁକ୍ତି, ନିୟମ, ଅସମତୁଲ ବାଣିଜ୍ୟ ମାତ୍ରାରେ ସମତୁଲତା ଆଣିବା ଆଦି ପ୍ରସଙ୍ଗ ଉପରେ ବ୍ରିକ୍ସ ସମ୍ମିଳନୀରେ ଆଲୋଚନା କରିବାକୁ ହେବ। ତେବେ ବ୍ରିକ୍ସ ଦେଶଗୁଡିକର ଏହି ପଦକ୍ଷେପ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ଷୁବ୍ଧ କରିପାରେ। କାରଣ ଡଲାରକୁ ଦୁର୍ବଳ କରିବା ବା ଡଲାରକୁ ଏଡାଇ ଯାଇ ଅନ୍ୟ କୌଣସି ମୁଦ୍ରାରେ ବ୍ୟବସାୟ କରିବାକୁ ସେ ସହଜରେ ଗ୍ରହଣ କରି ନପାରନ୍ତି।
ଅତୀତରେ ମଧ୍ୟ ଏ ନେଇ ସେ ଧମକ ଦେଇ ସାରିଛନ୍ତି। ବ୍ରିକ୍ସ ଦେଶସମୂହ ଆମେରିକା ବିରୋଧୀ ବୋଲି ସେ ମନ୍ତବ୍ୟ ଦେବା ସହିତ ସଦସ୍ୟମାନଙ୍କ ଉପରେ ଶୁଳ୍କ ଲଗାଇବା ପାଇଁ ଧମକ ଦେଇସାରିଛନ୍ତି।