ଇରାନ ରାଷ୍ଟ୍ରପତିଙ୍କ ମୃତୁ୍ୟ: ଦୁର୍ଘଟଣା ନା ଷଡ଼ଯନ୍ତ୍ର

କେମିତି ହେଲା ହେଲିକପ୍ଟର ଦୁର୍ଘଟଣା । ରହସ୍ୟରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ମୃତୁ୍ୟ । କାହିଁକି ହେଲା ହେଲିକପ୍ଟର ଦୁର୍ଘଟଣା । ସୁରକ୍ଷାରେ କିଛି ଅବହେଳା ରହିଯାଇଥିଲା କି । ଏହା ଦୁର୍ଘଟଣା ଜନିତ ମୃତୁ୍ୟ ନା କୌଣସି ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଛି । ରବିବାବ, ଇରାନ ସମୟ ଅପରାହ୍ଣ ୩ଟା । ଆଜେରବୈଜାନରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ରାଷ୍ଟ୍ରପତି ଇବ୍ରାହିମ୍ ରଇସି । ସାଥିରେ ଥିଲେ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାଦ୍ଦୁଲାହିଆନ ସୁରକ୍ଷାକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀ । ହଠାତ୍ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଗଲା । ଏହାପରେ ବାହାରିଲା ସର୍ଚ୍ଚ ଅପରେସନ୍ । ୧୭ ଘଂଟାର ସର୍ଚ୍ଚ ଅପରେସନ୍ ପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳର ଦୃଶ୍ୟ । ଦୁର୍ଘଟଣା ସ୍ଥଳରୁ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ।

ହେଲିକପ୍ଟରରେ ଯାତ୍ରା କରୁଥିଲେ ୯ଜଣ ବ୍ୟକ୍ତି । ହେଲିକପ୍ଟରର ଭଗ୍ନାବିଶେଷ ଦେଖି ଅନୁମାନ କରାଯାଇ ପାରିବ ଯେ, ଏହି ଦୁର୍ଘଟଣାରୁ କେହି ବି ବର୍ତି ଥିବେ । ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଓ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଦ୍ଦୁଲାହିଆନ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା କେମିତି । କୁହାଯାଉଛି ଖରାପ ପାଣିପାଗ ପାଇଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ । ଘନ କୁହୁଡ଼ି ପାଇଁ ହେଲିକପ୍ଟର ‘ହାର୍ଡ ଲ୍ୟାଣ୍ଡିଂ’ କରିଥାଇପାରେ । ଦୁର୍ଘଟଣା ରାଜଧାନୀ ତେହରାନ ଠାରୁ ୬୦୦ କିଲୋମିଟର ଦୂରରେ ଘଟିଛି । ଉତ୍ତର-ପଶ୍ଚିମ ଅଜୈରବେଜାନର ଜୋଲ୍ଫା ନିକଟରେ ଦୁର୍ଘଟଣା ହୋଇଛି ।

ସବୁଠାରୁ ବଡ କଥା ହେଉଛି ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ସହ ଅନ୍ୟ ଦୁଇଟି ହେଲିକପ୍ଟର ସୁରକ୍ଷା ପାଇଁ ନିୟୋଜିତ ଥିଲେ । ସେହି ଦୁଇ ହେଲିକପ୍ଟର ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଁଚି ସାରିଥିବାବେଳେ, ରଇସିଙ୍କ ହେଲିକପ୍ଟର ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ମନରେ ସନ୍ଦେହ ସୃଷ୍ଟି କରୁଛି । ଯେଉଁ ସମୟରେ ଇରାନ୍ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଛି, ତାହା ଅନେକ ଗୁଡିଏ ସନ୍ଦେହ ସୃଷ୍ଟି କରୁଛି ।

ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲକୁ ବିରୋଧ କରି ଆସୁଥିବା ଇରାନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏହା ଏକ ଭୟଙ୍କର ଷଡଯନ୍ତ୍ର ହୋଇଥାଇପାରେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ଇରାନ ହମାସକୁ ସମର୍ଥନ କରୁଥିବାବେଳେ କ୍ରମାଗତ ଭାବେ ଇସ୍ରାଏଲ ଓ ଆମେରିକାକୁ ବିରୋଧ କରି ଆସୁଛନ୍ତି । ତେଣୁ ହେଲିକପ୍ଟର ଦୁର୍ଘଟଣା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।