ନୂଆଦିଲ୍ଲୀ : ଏକବିଂଶ ଶତାବ୍ଦୀରେ ଆମର ନିଜସ୍ୱ ପରିଚୟ ତଥା ଓଡ଼ିଆ ଜାତିକୁ ବୈଜ୍ଞାନିକ ଢଙ୍ଗରେ ସମାଜ ଆଗରେ ଉପସ୍ଥାପନ କରିବାକୁ ହେବ । କେବଳ ପୁରୁଣା କଥାକୁ ନେଇ ନୁହେଁ ବରଂ ଆଧୁନିକ କଥାକୁ ନେଇ ସମାଜ ଆଗରେ ଆମ ଓଡ଼ିଶାର ପରିଚୟକୁ ବୈଜ୍ଞାନିକ ଢଙ୍ଗରେ ଉପସ୍ଥାପନ କରିବାକୁ ହେବ । ସେହିପରି ଓଡ଼ିଶାକୁ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା କରିବା ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨’ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଏହି ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ୬ ଜଣ ସାମ୍ବାଦିକମାନଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର୨୦୨୨’ ପ୍ରଦାନ କରିଛନ୍ତି । ସମ୍ମାନିତ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ।