‘ଏ ଜେଲଟା ଗନ୍ଧଉଛି, ସାବରମତୀ ନେଇଚାଲ’

ଆତିକର ନେହୁରା ଶୁଣି କୋର୍ଟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ…

ଲକ୍ଷେ୍ନø: ଅପରାଧ ଦୁନିଆକୁ ଥରାଉଥିବା ବାହୁବଳୀ ନେତା ଆତିକ ଅହମଦ ଆଜି ଅଦାଲତରେ ଅସହାୟ ମନେ ହେଉଥିଲା । ୧୭ ବର୍ଷ ତଳ ମାମଲାରେ ଆତିକକୁ ଆଜୀବନ କାରା ଦଣ୍ଡାଦେଶ ମିଳିଛି । ଉମେଶ ପାଲ ଅପହରଣ କାଣ୍ଡରେ ଆତିକ ଅହମ୍ମଦ, ହନିଫ ଓ ଦିନେଶ ପାସୀକୁ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ ଅଦାଲତ ଦୋଷୀ ସାବ୍ୟସ୍ତ କରି ତିନିଜଣଙ୍କୁୂ ଆଜୀବନ କାରା ଦଣ୍ଡାଦେଶ କରିଛନ୍ତି । ତା’ ସହିତ ଏକଲକ୍ଷ ଟଙ୍କା ଲେଖାଁଏ ଜୋରିମାନା ପଇଠ ଆଦେଶ କରିଛନ୍ତି ।

ଦଣ୍ଡାଦେଶ ଶୁଣିବା ପରେ ଆତିକ କୋର୍ଟଙ୍କୁ ସାବରମତୀ ଜେଲକୁ ପଠାଇ ଦେବା ପାଇଁ ନେହୁରା ହୋଇଥିଲା । ଆତିକ କହିବା ମୁତାବକ ନୈନୀ ସେଂଟ୍ରାଲ ଜେଲରେ ସେ ନିଜକୁ ଅସୁରକ୍ଷିତ ମଣୁଛି । ଜେଲ ପରିବେଶ ଖାପଛଡ଼ା ଲାଗୁଛି । ସାବରମତୀ ଜେଲଟା ତାକୁ ଘର ପରି ଲାଗୁଛି । ଆତିକର ନେହୁରା ଶୁଣି କୋର୍ଟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ । ତା’ପରେ ଆତିକକୁ କୋର୍ଟରୁ ସିଧା ନୈନୀ ଜେଲକୁ ନିଆଯାଇଥିଲା ।

ଆତିକକୁ ସାବରମତି ଜେଲ ନିଆଯିବ ବୋଲି ତାଙ୍କ ଓକିଲ ଦୃଢ଼ତାର ସହ କହିଛନ୍ତି । ଆତିକଙ୍କ ଓକିଲ ଉପରକୋର୍ଟକୁ ଯିବା ପାଇଁ ସୂଚନା ଦେଇଛନ୍ତି । ୨୦୦୬ରେ ଉମେଶ ପାଲଙ୍କ ଅପହରଣ ମାମଲାରେ ୧୦ ଜଣ ଅଭିଯୁକ୍ତ ଥିଲେ । କୋର୍ଟ ମାମଲାର ବିଚାର କରି ଆତିକର ଭାଇ ଅଶରଫ ସମେତ ୭ ଜଣଙ୍କୁ ଖଲାସ କରିଛନ୍ତି । କିନ୍ତୁ ଆତିକ ଅହମଦ, ଦିନେଶ ପାସୀ ଓ ଆତିକର ଓକିଲ ସୌଲତ ହନିଫକୁ ଆଜୀବନ କାରାବାସ ଶୁଣାଇଛନ୍ତି ।

ସଂକ୍ଷେପରେ ଉମେଶ ପାଲ ଅପହରଣ ମାମଲା: ରାଜୁ ପାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଉମେଶ ପାଲକୁ ୨୦୦୬ ଫେବୃଆରୀ ୨୮ ତାରିଖରେ ଅପହରଣ କରାଯିବା ପରେ କର୍ବଲା ଇଲାକାସ୍ଥିତ ଅଫିସକୁ ନିଆ ଯାଇଥିଲା । ସେଠାରେ ମାରଧର କରାଯାଇଥିଲା । ବିଜୁଳି କରେଂଟ ଦିଆଯାଇଥିଲା । ସତ୍ୟପାଠ ଉପରେ ବଳପୂର୍ବକ ଦସ୍ତଖତ ନିଆଯାଇ ୨୦୦୬ ମାର୍ଚ୍ଚ ପହିଲା ଦିନ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରାଇଥିଲା ଯେ ରାଜୁ ପାଲଙ୍କ ହତ୍ୟା ଘଟଣା ଦିନ ଉମେଶ ପାଲ ଘଟଣାସ୍ଥଳରେ ଉପସ୍ଥିତ ନଥିଲା ।

୨୦୦୭ରେ ୟୁପି ସରକାର ବଦଳିଗଲା । ଉମେଶ ପାଲ ସେହିବର୍ଷ ଜୁଲାଇ ୫ ତାରିଖରେ ସାଂସଦ ଆତିକ ଅହମଦ ଓ ତା’ ଭାଇ ଅଶରଫ ସମେତ ୧୦ ଜଣଙ୍କ ବିରୋଧରେ ଅପହରଣ, ମାରପିଟ ଅଭିଯୋଗରେ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାରେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରି ଘରକୁ ଫେରିବା ସମୟରେ ଉମେଶ ପାଲକୁ ଗୁଳି କରି ମାରି ଦିଆଗଲା ।