ଦେଶ ଦ୍ରୋହୀଙ୍କୁ ମିଳିବନି ସରକାରୀ ଚାକିରି ଓ ପାସପୋର୍ଟ

ଶ୍ରୀନଗର: ଜାମ୍ମୁକାଶ୍ମୀର ପ୍ରଶାସନ ଏକ ନୂଆ ଆଦେଶ ଜାରି କରିଛି । ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ସାବାଡ କରିବାକୁ ଏହି କଠୋର ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ପଥର ଫିଙ୍ଗାଳି ଏବଂ ଦେଶଦ୍ରୋହୀ କାର୍ୟ୍ୟରେ ଲିପ୍ତ ଲୋକମାନଙ୍କ ପାଇଁ ଜାମ୍ମୁକାଶ୍ମୀର ପ୍ରଶାସନ ଏକ ନୂଆ ଆଦେଶ ଜାରି କରିଛନ୍ତି । ଏହା ଦ୍ୱାରା ସେହି ଲୋକମାନେ କରିପାରିବେନି ସରକାରୀ ଚାକିରି ଓ ବିଦେଶ ଯାତ୍ରା । ସେମାନଙ୍କର ପାସପୋର୍ଟ ହୋଇପାରିବ ନାହିଁ । ଖବର ଅନୁସାରେ, ଜାମ୍ମୁ-କାଶ୍ମୀର ପ୍ରଶାସନ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଯେକୌଣସି ବ୍ୟକ୍ତି ପାସପୋର୍ଟ ପାଇଁ ଆବେଦନ କରିବା ପରେ ତାଙ୍କର ପୂରା ଇତିହାସ ଯାଞ୍ଚ କରାଯିବ । ଏହାର ଅର୍ଥ ସମ୍ପୃକ୍ତ ବ୍ୟକ୍ତି ପଥର ଫିଙ୍ଗିବା, କୌଣସି ପ୍ରକାର ଦେଶ ବିରୋଧୀ କାର୍ୟ୍ୟରେ ଲିପ୍ତ ଅଛନ୍ତି କି ନାହିଁ ଯାଞ୍ଚ ପରେ ପାସପୋର୍ଟକୁ ମଞ୍ଜୁରୀ ମିଳିବ । ଯଦି କୌଣସି ବ୍ୟକ୍ତି ଏଭଳି କାର୍ୟ୍ୟରେ ଲିପ୍ତ ଥିବେ ତେବେ ତାଙ୍କର ପାସପୋର୍ଟ, କୌଣସି ପ୍ରକାର ସରକାରୀ ଚାକିରି ଆଦି ପାଇଁ ଏନଓସି ମିଳିବ ନାହିଁ । ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର ସିଭିଲ ସେବା ଚାକିରି ପାଇଁ ସନ୍ତୋଷଜନକ ସିଆଇଡି ରିପୋର୍ଟକୁ ଅନିବାର୍ୟ୍ୟ କରାଯାଇଥିଲା । କୌଣସି ଆଶାୟୀ ଚାକିରି ପାଇଁ ଆବେଦନ କରିବା କିମ୍ବା ଚାକିରିରେ ଭର୍ତ୍ତି ହେବା ପୂର୍ବରୁ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ ବାଧ୍ୟ ।