ଜାପାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିପାଇଁ ସେ ନିଜର ଖରାପ ସ୍ୱାସ୍ଥ୍ୟାବସ୍ଥାକୁ କାରଣ ବୋଲି ଦର୍ଶାଇଛନ୍ତି। ଗତ କିଛିଦିନ ଧରି ପେଟ ରୋଗରେ ପୀଡିତ ଥିଲେ ।

ଚଳିତ ସପ୍ତାହରେ ଦୁଇ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆବେ। ତେବେ ତାଙ୍କର ଅସୁସ୍ଥତା ଜାପାନର ଜାତୀୟ ତଥା ରାଜନୈତିକ ନିଷ୍ପତ୍ତିକୁ ଯେମିତି ଦୁର୍ବଳ କରିନଦେବ ସେଥିପାଇଁ ସେ ଆଗୁଆ ପଦ ଛାଡ଼ିଛନ୍ତି। ୨୦୨୧ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିଲା। ୨୦୧୨ରୁ ଲଗାତାର ଦୁଇଥର ସେ ଜାପାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଆସିଛନ୍ତି। ନିକଟରେ ସେ ସର୍ବାଧିକ କାଳ ପଦବୀ ସମ୍ଭାଳିଥିବା ଜାପାନ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ଼ କରିଥିଲେ।

ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ଜାପାନ ସେୟାର ମାର୍କେଟ ଧରାଶାୟୀ ହୋଇଯାଇଛି। ନିକଟରେ କରୋନା ମୁକାବିଲା କ୍ଷେତ୍ରରେ ବିଫଳ ହେବାରୁ ତାଙ୍କ ଲୋକପ୍ରିୟତା ୩୦ ପ୍ରତିଶତ ହ୍ରାସ ପାଇଥିଲା। ଏପରିକି ତାଙ୍କ ଦଳ ଅନେକ ଦୁର୍ନୀତିରେ ଛନ୍ଦି ହୋଇ ପଡିଥିଲା । ତେବେ ୬୫ ବର୍ଷୀୟ ଆବେ ଦେଶର ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିବେ ବୋଲି ଦାବି କରିଥିଲେ । ଏପରିକି ଚୀନ ଆଡୁ ଦେଖାଦେଇଥିବା ବିପଦ ପାଇଁ ସେ ନିଜ ସେନାକୁ ମଧ୍ୟ ମଜବୁତ କରିବାରେ ଲାଗିଥିଲେ ।