Jeep accident in Nepal: ନେପାଳରେ ଜିପ୍ ଦୁର୍ଘଟଣାଗ୍ରସ୍ତ, ୮ ମୃତ
Jeep accident in Nepal: ନେପାଳରେ ଜିପ୍ ଦୁର୍ଘଟଣାଗ୍ରସ୍ତ, ୮ ମୃତ
ଘାଟି ରାସ୍ତାରୁ ପ୍ରାୟ ୭୦୦ ଫୁଟ ତଳକୁ ଖସିପଡ଼ିଲା ଜିପ୍ । ସେଥିରେ ରହିଥିବା ୧୮ ଜଣ ଯାତ୍ରୀଙ୍କ ଭିତରୁ ୮ ଜଣ ପ୍ରାଣ ହରାଇଛନ୍ତି ଓ ୧୦ ଜଣ କ୍ଷତାକ୍ତ ହୋଇଛନ୍ତି ।
ନେପାଳର କର୍ନାଲି ପ୍ରଦେଶର ପାହାଡିଆ ଅଂଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ଶୁକ୍ରବାର ଦିନ ରାତିରେ ନେପାଳ ରାଜଧାନୀ କାଠମାଂଡୁ ନିକଟରୁ ପଶ୍ଚିମକୁ ପ୍ରାୟ ୫୦୦ କିଲୋମିଟର ଦୂର ବାଫିକଟ ଅନ୍ତର୍ଗତ ଝାରମାରେ ଅଂଚଳରେ ଦୁର୍ଘଟଣା ଘଟିଥିଲା ।
ଜିପଟି ମୁସିକୋଟ୍ ଅନ୍ତର୍ଗତ ଖଲଙ୍ଗରୁ ଆଠବିସ୍କୋଟ ମୁନିସିପାଲିଟିର ସ୍ୟାଲିଖାଡ଼ି ଅଭିମୁଖେ ଯାଉଥିଲା ।
ପ୍ରାଥମିକ ଅନୁସନ୍ଧାନ ପରେ ପୁଲିସ କହିଛି, ଜିପଟି ଦ୍ରୁତଗତିରେ ଯାଉଥିବାରୁ ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ଓ ଘାଟି ତଳକୁ ଖସି ପଡ଼ିଥିଲା ।
ଘଟଣାସ୍ଥଳରେ ୭ ଜଣଙ୍କର ଜୀବନ ଚାଲିଯାଇଥିଲା । ଜଣେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
ମୃତାହତଙ୍କ ବୟସ ୧୫ରୁ ୩୦ ବର୍ଷ ଭିତରେ ବୋଲି ଜଣାପଡ଼ିଛି । ଡାକ୍ତରଖାନାରେ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି ।