ସିବିଆଇ ତଦନ୍ତ ଉପରେ ଅଙ୍କୁଶ ଲଗାଇଲା ଝାଡ଼ଖଣ୍ଡ

ରାଞ୍ଚି: ଦେଶର ସର୍ବୋଚ୍ଚ କେଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ରାଜ୍ୟସରକାରମାନେ ବିଶ୍ୱାସ ହରାଉଛନ୍ତି । ରାଜସ୍ଥାନ, ମହାରାଷ୍ଟ୍ର ଏବଂ କେରଳ ପରେ ଏବେ ଝାଡଖଣ୍ଡ ସରକାର ରାଜ୍ୟରେ ତଦନ୍ତ କରିବାକୁ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରି ନେଇଛନ୍ତି । ତେଣୁ ଏଣିକି ସିବିଆଇ ତଦନ୍ତ କରିବାକୁ ଝାଡ଼ଖଣ୍ଡ ଯିବାକୁ ଚାହିଁବ ତେବେ ପ୍ରଥମେ ସେ ରାଜ୍ୟସରକାରଙ୍କ ଅନୁମତି ନେବାକୁ ପଡିବ । ଏ ନେଇ ଗୁରୁବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସିବିଆଇକୁ ନିଜ ରାଜ୍ୟରେ ଅନୁମତି ନ ଦେବା ଦେଶର ଅଷ୍ଟମ ରାଜ୍ୟ ହୋଇଛି ଝାଡ଼ଖଣ୍ଡ। ଏହା ପୂର୍ବରୁ ମହାରାଷ୍ଟ୍ର,ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,ଛତିଶଗଡ ଆଦି ରାଜ୍ୟଗୁଡିକ ଅନୁରୂପ ନିଷ୍ପତ୍ତି ନେଇଥିଲେ । ସିବିଆଇ ଉପରେ ଏଭଳି ନିଷ୍ପତ୍ତି ନେଇଥିବା ରାଜ୍ୟଗୁଡିକ ଅଭିଯୋଗ କରିଛନ୍ତି କି କେନ୍ଦ୍ରସରକାର ରାଜନୈତିକ ବିରୋଧୀମାନଙ୍କୁ ହଇରାଣ କରିବାକୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ବା ସିବିଆଇର ଅପବ୍ୟବହାର କରୁଛନ୍ତି । ପ୍ରଥମଥର ପାଇଁ ୨୦୧୮ ମସିହାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।