ରାଂଚି: ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପି ଗୋଟି ଚାଳନା କରିଛି । ମହାରାଷ୍ଟ୍ରରେ ସଫଳତା ପାଇବା ପରେ ଝାଡ଼ଖଣ୍ଡର ହେମନ୍ତ ସୋରେନ୍ଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ଚାଲ ଖେଳିଛି । ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜେଏମ୍ଏମ୍-କଂଗ୍ରେସ ମିଳିତ ବୈଠକରେ ୧୧ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ଆସ୍ଥା ଭୋଟରେ ଜିତିବା ପାଇଁ ହେମନ୍ତଙ୍କୁ ୪୨ଟି ବିଧାୟକଙ୍କ ସମର୍ଥନ ଦରକାର । ମାତ୍ର ତାଙ୍କ ପାଖରେ ୩୭ ଜଣ ବିଧାୟକ ଅଛନ୍ତି ।
ବିଭିନ୍ନ କାରଣ ଦର୍ଶାଇ ୧୧ ଜଣ ବିଧାୟକ ବୈଠକରେ ଅନୁପସ୍ଥିତ ଥିଲେ ମଧ୍ୟ ରାଜନୀତି ଗଣିତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୋଠକୁ ଫେରାଇ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଶନିବାର ବୈଠକକୁ ରାଜ୍ୟର ସମସ୍ୟା ବିଜଡ଼ିତ କହି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବାସ୍ତବ ସତ୍ୟକୁ ଲୁଚାଇବାର ପ୍ରୟାସ କରିଛନ୍ତି । ସେ କହିଛନ୍ତି, ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ରାଜ୍ୟରେ ଭୟାନକ ସ୍ଥିତି ଉପୁଜିଛି, ତା’ର ମୁକାବିଲା ପାଇଁ ବୈଠକ ଡକାଯାଇଥିଲା । ବୈଠକକୁ ରାଜଦ, କଂଗ୍ରେସ ଓ ଜେଏମ୍ଏମ୍ର ସବୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଡକା ଯାଇଥିଲା ।