କଶ୍ମୀରରେ ବାଜିମାରିନେଲା ଗୁପକାର ମେଣ୍ଟ shaksi news

ଶ୍ରୀନଗର: ଜମ୍ମୁ, କଶ୍ମୀରରେ ଗୁପକାର ମେଣ୍ଟର ବାଜିମାତ। ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପକାର ମେଣ୍ଟ ଜମ୍ମୁ-କଶ୍ମୀରରେ ହୋଇଥିବା ଜିଲ୍ଲା ସ୍ତରୀୟ ନିର୍ବାଚନରେ ବାଜିମାତ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଏଠାରେ କୌଣସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନିର୍ବାଚନରେ ଗୁପକାର ମେଣ୍ଟ କଶ୍ମୀର ଓ ବିଜେପି ଦଖଲକୁ ଜମ୍ମୁ ଯାଇଛି। ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ସମଗ୍ର ୨୦ଟି ଜିଲ୍ଲାରେ ପ୍ରଥମଥର ଅନୁଷ୍ଠିତ ହୋଇଥିଲା। ୨୦ଟି ଜିଲ୍ଲାରୁ ଗୁପକାର ମେଣ୍ଟ ଓ କଂଗ୍ରେସ ୧୩ଟି ଜିତିଥିବା ବେଳେ ବିଜେପି ମାତ୍ର ୬ଟିରେ ଜିତିଛି। ଆଉ ଗୋଟିଏ ଜିଲ୍ଲାରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏହା ବିରୋଧରେ ନ୍ୟାଶନାଲ କନଫରେନ୍ସ ଓ ମେହବୁବା ମୁଫତିଙ୍କ ପିଡିପି ଭଳି ୭ଟି ଦଳ ଏକାଠି ହୋଇ ଗୁପକାର ମେଣ୍ଟ ଗଠନ କରିଥିଲେ। ଡିଡିସି ନିର୍ବାଚନରେ ମେଣ୍ଟ ସପକ୍ଷରେ ୧୧୨ରୁ ଅଧିକ ଆସନ ଯାଇଥିବା ବେଳେ ବିଜେପି ୭୪ଟି ଆସନ ଜିତିଛି। ସେହିପରି କଂଗ୍ରେସ ୨୬ଟି ଆସନରେ ବାଜିମାତ କରିଛି।

୨୦ଟି ଜିଲ୍ଲାର ୨୮୦ଟି ଆସନ ପାଇଁ ମତଦାନ ହୋଇଥିଲା। କଶ୍ମୀର ଅଞ୍ଚଳରେ ପ୍ରାୟ ସବୁ ଆସନ ଗୁପକାର ମେଣ୍ଟ ଜିତିଥିବା ବେଳେ ଜମ୍ମୁର ଅଧିକାଂଶ ସ୍ଥାନରେ ବିଜେପି ବାଜିମାତ କରିଛି। କଶ୍ମୀରରେ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ମେଣ୍ଟ ୭୨ଟି ଆସନ ଜିତିଛି। ଏଠାରେ ବିଜେପି ଖାତାକୁ ମାତ୍ର ୩ଟି ଆସନ ଯାଇଛି।

ଗୁପକାର ମେଣ୍ଟର ପ୍ରାର୍ଥୀମାନେ ୯ଟି ଜିଲ୍ଲାରେ ପରିଷଦ ଗଠନ କରିବାକୁ ସକ୍ଷମ ହୋଇଛନ୍ତି। ସେଗୁଡ଼ିକ ହେଲା, କୁପୱାଡା, ବାରମୁଲ୍ଲା, ବଡ଼ଗାମ, ପୁଲୱାମା, ଅନନ୍ତନାଗ, ବାନ୍ଦିପୋରା, ଗାନ୍ଧେରବାଲ, ଶୋଫିଆନ ଓ କୁଲଗାମ। ସେହିପରି ଜମ୍ମୁରେ ବିଜେପି ୭୧ଟି ଆସନ ଜିତିଛି। ଜମ୍ମୁ, ଉଦ୍ଧମପୁର, ସାମ୍ବା, କଠୁଆ, ରେଇସି ଓ ଡୋଡାରେ ପଦ୍ମ ଫୁଟିଛି। ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ଜମ୍ମୁରେ ୪୫ଟି ଆସନ ଜିତିବାରେ ସକ୍ଷମ ହୋଇଛନ୍ତି। ପୁଞ୍ଚ, ରଜୌରୀ, କିସ୍ତୱାର ଓ ରାମବନ ଜିଲ୍ଲା ଏମାନଙ୍କ ଦଖଲରେ ରହିଛି। ଶ୍ରୀନଗରରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ଥିବାର ଏହା କାହା ସପକ୍ଷରେ ଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।