ବିଚାରପତିମାନେ ଗୋଷ୍ଠୀ ରାଜନୀତିରେ ମାତୁଛନ୍ତି

ନ୍ୟାୟାଳୟରେ ପକ୍ଷପାତ ନୀତିକୁ ପ୍ରଶ୍ରୟ ଦିଆଯାଉଛି……

ନୂଆଦିଲ୍ଲୀ: କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ବିବାଦୀୟ ମନ୍ତବ୍ୟରେ ବିଚାରପତିମାନେ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଆଜି ନ୍ୟାୟାଳୟର କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଛନ୍ତି । ବିଚାରପତିମାନେ ସାମ୍ବିଧାନିକ ଦାୟିତ୍ୱ ତୁଲାଇବା ବଦଳରେ ରାଜନୀତି କରୁଛନ୍ତି । ଫଳରେ ଲୋକମାନଙ୍କ ନ୍ୟାୟ ପ୍ରକ୍ରିୟା ସାମୁହିକ ଭାବେ ବାଧାପ୍ରାପ୍ତ । ନ୍ୟାୟାଳୟରେ ଚାଲିଥିବା ରାଜନୀତି ବାହାରକୁ ଦେଖାଯାଉନି ମାତ୍ର ଅତିମାତ୍ରାରେ ଗୋଷ୍ଠୀଗତ ମତଭେଦ ଦେଖିବାକୁ ମିଳିଛି ।

ଯଦି ବିଚାରପତିମାନେ ନ୍ୟାୟ ପ୍ରକ୍ରିୟା ଛାଡ଼ି ପ୍ରଶାସନିକ କାମ କରନ୍ତି, ତେବେ ଆମକୁ ସଂପୂର୍ଣ୍ଣ ବ୍ୟବସ୍ଥା ପ୍ରତି ପୁନଃ ଆକଳନ କରିବାକୁ ପଡ଼ିବ । ଅହମଦାବାଦରେ ଆରଏସ୍‌ଏସ୍‌ ପତ୍ରିକା ‘ପାଂଚଜନ୍ୟ’ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ ସୁପ୍ରିମକୋର୍ଟର କଲେଜିୟମ ମଧ୍ୟ ଗୋଳିଆ ରାଜନୀତିରୁ ବାଦ୍‌ ପଡ଼ିନି । ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବଦଳାଇବାକୁ ପଡ଼ିବ ।
ଭାରତର ସମ୍ବିଧାନ ମୁତାବକ ବିଚାରପତିଙ୍କ ନିଯୁକ୍ତି ଦାୟିତ୍ୱ କେନ୍ଦ୍ର ସରକାରଙ୍କର ।

ମାତ୍ର ୧୯୯୮ରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ସୁପ୍ରିମକୋର୍ଟ ତା’ର କଲେଜିୟମ ସିଷ୍ଟମ ଆରମ୍ଭ କଲା । ଏକମାତ୍ର ଭାରତକୁ ବାଦ ଦେଲେ ବିଶ୍ୱର ଅନ୍ୟ କୌଣସି ଦେଶରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ବିଚାରପତିଙ୍କୁ ଦିଆଯାଇନି । ଭାରତରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ସାରିବା ପାଇଁ ଅନ୍ୟ ବିଚାରପତିଙ୍କୁ ସେମାନଙ୍କର ସାମ୍ବିଧାନିକ ଦାୟିତ୍ୱକୁ ଅବହେଳା କରିବାକୁ ପଡ଼ିଥାଏ । ପରିଣାମ ସ୍ୱରୂପ ସାଧାରଣ ଲୋକଙ୍କୁ ବିଳମ୍ବରେ ନ୍ୟାୟ ମିଳୁଛି ।

ଭାରତର ସମ୍ବିଧାନ ପବିତ୍ର ଦସ୍ତାବିଜ । ବିଧାନସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତା’ର ତିନୋଟି ସ୍ତମ୍ଭ । ବିଧାନସଭା ଓ କାର୍ଯ୍ୟପାଳିକା ବ୍ୟବସ୍ଥାରେ କିଛି ତ୍ରୁଟି ଦେଖାଦେଲେ ତାକୁ ସୁଧାରିବାର ଦାୟିତ୍ୱ ନ୍ୟାୟାଳୟକୁ ଦିଆଯାଇଛି । ମାତ୍ର ବିଡ଼ମ୍ବନାର ବିଷୟ; ନ୍ୟାୟପାଳିକାର ଅବ୍ୟବସ୍ଥାକୁ ସୁଧାରିବାର ଅଧିକାର ବିଧାନସଭା ଓ କାର୍ଯ୍ୟପାଳିକାକୁ ଦିଆଯାଇନି । କେନ୍ଦ୍ରମନ୍ତ୍ରୀ ରିଜିଜୁ ପୁଣି କହିଛନ୍ତି, ବିଜେପି ସରକାର କେବେ ନ୍ୟାୟାଳୟ କାମରେ ହସ୍ତକ୍ଷେପ କରିନାହିଁ ।

ନ୍ୟାୟାଳୟର ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିନାହିଁ । ନ୍ୟାୟାଳୟ ତା’ର ଗୁରୁଦାୟିତ୍ୱ ପ୍ରତି ସଚେତନ ନହେଲେ ଯଦି ଆମେ କୌଣସି ପଦକ୍ଷେପ ଗ୍ରହଣ କରିବୁ । ଆମ ଉପରେ ଦୋଷ ଲଦି ଦିଆଯିବ ଯେ ଆମେ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅମଳରେ ତିନିଜଣ ବରିଷ୍ଠ ବିଚାରପତିଙ୍କୁ ହଟାଇ ଦିଆଗଲା । କିନ୍ତୁ ମୋଦୀ ସରକାର ସେଭଳି କାମ କରିନାହାନ୍ତି ।