କାବୁଲ: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଗଜନିକୁ କରିନେଇଛି ତାଲିବାନ ଅଧିକାର । ଗଜନି ତାଲିବାନ ଅଧିନକୁ ଚାଲିଯିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲର ପତନ ଏକରକମ ନିଶ୍ଚିତ ଜଣାପଡ଼ୁଛି । ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା ଯେ ୯୦ ଦିନ ମଧ୍ୟରେ କାବୁଲ ତାଲିବାନ ଅଧିନକୁ ଚାଲିଯିବ । ତେବେ କେତେକ ସାମରିକ ବିଶେଷଜ୍ଞଙ୍କ ମତରେ ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସବୁ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବାର ଅଳ୍ପ କିଛି ଦିନ ମଧ୍ୟରେ ହିଁ କାବୁଲକୁ ତାଲିବାନ ଅଧିକାର କରିନେବ । ଅନ୍ୟପକ୍ଷରେ କାବୁଲକୁ ବଞ୍ଚାଇବାକୁ ଆଫଗାନ ସରକାର ନିଜର ସବୁ ଶକ୍ତି ଖଟାଇଛନ୍ତି । ଆଫଗାନିସ୍ତାନର ଅନ୍ୟ ଅଞ୍ଚଳରେ ଥିବା ସୈନ୍ୟମାନଙ୍କୁ ଅଣାଯାଇ କାବୁଲର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି । ଏହା ଫଳରେ ଦେଶର ଅନ୍ୟ ଅଞ୍ଚଳଗୁଡ଼ିକରେ ସ୍ଥିତି ସଂଗୀନ ହୋଇପଡ଼ିଛି । ହଜାର ହଜାର ଲୋକ ଘରଛାଡ଼ି ପଡୋଶୀ ଦେଶ଼କୁ ପଳାୟନ କରୁଛନ୍ତି ।