ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପଙ୍ଗା କୁଇନ୍ କଙ୍ଗନାଙ୍କ ଅଡୁଆ ବଢିବାରେ ଲାଗିଛି । ଏନେଇ ଦିଲ୍ଲୀ ବିଧାନସଭା ପ୍ୟାନେଲ ସାମ୍ନାରେ ହାଜର ହେବାକୁ ଜାରି ହୋଇଛି ସମନ । କଙ୍ଗନାଙ୍କୁ ଆସନ୍ତା ୬ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦ୍ଭାବ କମିଟି ଆଗରେ ହାଜର ହେବାକୁ କୁହାଯାଇଛି । ଶିଖ ସମାଜ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ଏହି ସମନ ଜାରି କରାଯାଇଛି । ଏହି ଶାନ୍ତି ଏବଂ ସଦ୍ଭାବ କମିଟିର ଅଧ୍ୟକ୍ଷତାରେ ଅଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚାଡ୍ଡା । ସୂଚନା ଅନୁଯାୟୀ ନିକଟରେ କଙ୍ଗନା ନିଜ ଇନ୍ରେ ଶିଖ ସମ୍ପ୍ରଦାୟ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ବିରୋଧ କରି ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି କଙ୍ଗନାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ମନ୍ଦିର ମାର୍ଗ ଥାନାର ସାଇବର ଅଫିସରେ ଏହି ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ସେ ଜାଣିଶୁଣି ସୋସିଆଲ ମିଡିଆରେ କୃଷକଙ୍କ ବିରୋଧକୁ ନେଇ ‘ଖଲିସ୍ତାନୀ ଆନ୍ଦୋଳନ’ ବୋଲି କହିଥିବା ଅଭିଯୋଗରେ କୁହାଯାଇଛି ।