ନୂଆଦିଲ୍ଲୀ: ୨୦୧୧ ବ୍ୟାଚ କର୍ଣ୍ଣାଟକ କ୍ୟାଡର ଆଇପିଏସ କେ. ଆନ୍ନାମାଲାଇ ଆଜି ବିଜେପିରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକରେ ସିଂଘମ ବୋଲାଉଥିବା ଏହି ପୂର୍ବତନ ପୋଲିସ ଅଫିସର ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ପଦ୍ମ ଫୁଙ୍କିଛନ୍ତି।

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭି. ମୁରଲୀଧର ରାଓ ଓ ତାମିଲନାଡୁ ବିଜେପି ଅଧ୍ୟକ୍ଷ ଏଲ. ମୁରୁଗାନଙ୍କ ଊପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି। ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।
ବେଙ୍ଗାଲୁରୁ ଡିସିପି ରହିସାରିଥିବା ଆନ୍ନାମାଲାଇ ଆରଏସ୍ଏସ୍ ଆଦର୍ଶରେ ଗଭୀର ଭାବେ ଅନୁପ୍ରାଣିତ। ସେ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ କହି ଆସିଛନ୍ତି। ସେ ନିଜେ ମଧ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିସାରିଛନ୍ତି। ୨୦୧୯ ରେ ସ୍ବେଚ୍ଛାକୃତ ଭାବେ ଚାକିରୀ ଛାଡ଼ି ‘ଉଇ ଦ ଲିଡ଼ର୍ସ ଫାଉଣ୍ଡେସନ’ ପ୍ରତିଷ୍ଠା କରିଥିଲେ।
୩୬ ବର୍ଷୀୟ ଆନ୍ନାମାଲାଇ କୋଏମ୍ବାଟୁରର ପିଏସଜି କଲେଜ ଅଫ ଟେକ୍ନୋଲୋଜିରୁ ମେକାନିକାଲ ଇଂଜିନିୟରିଂ ଡିଗ୍ରୀ ଏବଂ ଆଇଆଇଏମ୍ ଲକ୍ଷ୍ନୌରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ସେ ତାମିଲନାଡୁ କରୁର ଜିଲ୍ଲାର ମୂଳ ବାସିନ୍ଦା।