କର୍ଣ୍ଣାଟକର କମ୍ପାନୀ କର୍ମଚାରୀଙ୍କୁ ଦୈନିକ ୧୦ ଘଂଟା କାମ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ୧୯୬୧ ମସିହାରେ ପ୍ରଣୀତ କର୍ଣ୍ଣାଟକ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନକୁ ସଂଶୋଧନ କରିଛନ୍ତି । ସଂଶୋଧିତ ଆଇନ ଅନୁସାରେ ଏଣିକି କର୍ଣ୍ଣାଟକର ବେସରକାରୀ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରିବାର ଅବଧି ୧୦ ଘଂଟା ରଖାଯାଇଛି ।

ଆଇଟି କ୍ଷେତ୍ରକୁ ସୁହାଇଲା ଭଳି ଆଇନ ତିଆରି କରାଯାଇଛି ଅଭିଯୋଗ କରି ଶ୍ରମିକ ସଂଘ ପକ୍ଷରୁ ସରକାରଙ୍କ ଶ୍ରମିକ ଶୋଷଣ ପଦକ୍ଷେପକୁ ସମାଲୋଚନା କରାଯାଇଛି । ନିର୍ଦ୍ଧାରିତ ସମୟ ମୁତାବକ ଦରମା ସାଙ୍ଗକୁ କର୍ମଚାରୀମାନେ ଅତିରିକ୍ତ ସମୟ ପାଇଁ ଅତିରିକ୍ତ ପାରିଶ୍ରମିକ ପାଇ ଯୋଉ ଉପକୃତ ହେଉଥିଲେ, ସଂଶୋଧିତ ଆଇନ ସେଥିରେ ବାଧକ ସାଜିଲା ।

ପୁରୁଣା ଶ୍ରମ ଆଇନ ଅନୁସାରେ କମ୍ପାନୀ କର୍ମଚାରୀଙ୍କୁ ୯ ଘଂଟା ଖଟୁଥିଲେ । କମ୍ପାନୀ ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରମ ଆଇନ ସଂଶୋଧନ କରାଯାଇଛି ବୋଲି ଶ୍ରମିକ ମହଲରୁ ଏକ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି । ଅଧିକାଂଶ ଶ୍ରମିକ କହିଛନ୍ତି, କାମ କରିବାର ଅବଧିକୁ ବଢ଼ାଇ ଦିଆଗଲା, ସେହି ଅନୁସାରେ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇ ଦିଆଯିବା ଉଚିତ ।

ଏଠାରେ ଜଣାଇ ଦିଆଯାଉଛି, ୨୦୧୯ ଓ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାରିଟି ଶ୍ରମିକ ନୀତି ପ୍ରଣୟନ କରାଯାଇଛି । ତଦନୁସାରେ ଶ୍ରମିକଙ୍କ ଦୈନିକ ଅବଧିକୁ ୧୦ ଘଂଟା କରିବାର ନିୟମ ରହିଛି । ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର, ଉତର ପ୍ରଦେଶ ଓ ଉତରାଖଣ୍ଡ ସରକାର କେନ୍ଦ୍ର ସରକାରଙ୍କ ସଂଶୋଧିତ ଶ୍ରମ ଆଇନକୁ ଗ୍ରହଣ କରିଛନ୍ତି । ଖୁବ୍ ଶୀଘ୍ର ଆନ୍ଧ୍ର ପ୍ରଦେଶ ସରକାର ନିୟମିତ କାର୍ଯ୍ୟ ଅବଧିକୁ ୧୦ ଘଂଟା କରିବାକୁ ଯାଉଛନ୍ତି ।