ବେଙ୍ଗାଲୁରୁ : ବୁଧବାର କର୍ଣ୍ଣାଟକ ହାଇକୋର୍ଟରେ ହିଜାବ୍ ମାମଲାର ପୁଣି ଶୁଣାଣି କରାଯାଇଛି। ଏହି ଅବସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଋତୁରାଜ ଅୱସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ରାଜ୍ୟ ସରକାରଙ୍କଠାରୁ ସିଏଫ୍ଆଇ (କ୍ୟାମ୍ପସ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ)ର ଭୂମିକା ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ।
ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀ ୧ରେ କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଗୋଟିଏ କଲେଜର ୬ ଜଣ ମୁସ୍ଲିମ୍ ଛାତ୍ରୀ ସିଏଫ୍ଆଇ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରି ହିଜାବ୍ ପରିଧାନକୁ ବିରୋଧ କରାଯାଉଥିବା ପ୍ରସଙ୍ଗ ଉଠାଇଥିଲେ । ଏହି ଘଟଣାର ୪ ଦିନ ପୂର୍ବରୁ ସଂପୃକ୍ତ ଛାତ୍ରୀମାନେ କଲେଜକୁ ହିଜାବ୍ ପିନ୍ଧି ଆସିବାକୁ ଅନୁମତି ଲୋଡିଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ରୋକ୍ଠୋକ୍ ମନା କରିଦେଇଥିଲେ । ସେହିଦିନ ପର୍ଯ୍ୟନ୍ତ ଏହି ଛାତ୍ରୀମାନେ କଲେଜକୁ ହିଜାବ ପିନ୍ଧି ଆସୁଥିଲେ ସୁଦ୍ଧା ଶ୍ରେଣୀଗୃହରେ ପ୍ରବେଶ ପୂର୍ବରୁ ଏହାକୁ ଖୋଲିଦେଉଥିଲେ । ବିଗତ ୩୫ ବର୍ଷ ଧରି ମୁସ୍ଲିମ୍ ଛାତ୍ରୀମାନେ କ୍ଲାସ୍ରୁମ୍ରେ ହିଜାବ୍ ପିନ୍ଧୁନଥିବାରୁ କୌଣସି ବିବାଦ ଉପୁଜିନଥିଲା ବୋଲି ଉକ୍ତ କଲେଜର ଅଧ୍ୟକ୍ଷ ରୁଦ୍ର ଗୌଡା କହିଛନ୍ତି । ସିଏଫ୍ଆଇର ସମର୍ଥନ ପାଇବାପରେ ହିଁ ଛାତ୍ରୀମାନେ ହିଜାବ୍ ପିନ୍ଧିବାକୁ ଜିଦ୍ କରିଥିବା ସେ କହିଛନ୍ତି । ତେଣୁ ହିଜାବ୍ ବିବାଦ ପଛରେ ସିଏଫ୍ଆଇର ପ୍ରଚ୍ଛନ୍ନ ହାତ ରହିଛି ବୋଲି ସଂପୃକ୍ତ କଲେଜ ଅଧ୍ୟକ୍ଷଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ଏସ୍.ଏସ୍.ନାଗାନନ୍ଦ ହାଇକୋର୍ଟଙ୍କୁ ଜଣାଇଛନ୍ତି ।
ଅପରପକ୍ଷରେ ସିଏଫ୍ଆଇ ଏକ ମୌଳବାଦୀ ସଂଗଠନ ହୋଇଥିବାବେଳେ କୌଣସି କଲେଜ ପକ୍ଷରୁ ଏହାକୁ ସ୍ୱୀକୃତି ମିଳିନଥିବା ଅନ୍ୟ ଜଣେ ଓକିଲ ଯୁକ୍ତି ଦର୍ଶାଇଛନ୍ତି । ରାଜ୍ୟ ସରକାର ସିଏଫ୍ଆଇର ଭୂମିକା ସମ୍ପର୍କରେ ଅବଗତ ଅଛନ୍ତି କି ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିବାରୁ ନାଗାନନ୍ଦ କହିଛନ୍ତି ଗୁଇନ୍ଦା ବିଭାଗ ଏ ସମ୍ପର୍କରେ ଜାଣିଛି ।