ନୂଆଦିଲ୍ଳୀ: ଦୁନିଆକୁ ଅଲବିଦା କରିଚନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ୍ । ବହୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ସେ ବେଶ କିଛି ବର୍ଷ ଧରି ଯମ ଯନ୍ତ୍ରଣା ଭୋଗୁଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ବିଡମ୍ବନାର ବିଷୟ, ଭାରତରେ ଜନ୍ମିତ ମୁଶରଫ୍ ଜୀବନସାରା ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ।
୧୯୪୩ରେ ପୁରୁଣା ଦିଲ୍ଲୀରେ ଜନ୍ମିତ ମୁଶରଫ୍ ନିଜ ଅଧ୍ୟବସାୟ ବଳରେ ପାକିସ୍ତାନ ସେନାମୁଖ୍ୟ ହେବାପରେ ଘଟଣାଚକ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କ୍ଷମତାଚ୍ୟୁତ କରି ପାକିସ୍ତାନ ଶାସନ ମୁଖ୍ୟ ହୋଇଥିଲେ । କାଳକ୍ରମେ ନିର୍ବାଚନ ପ୍ରକ୍ରିୟା ଦେଇ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଛନ୍ତି । ଯେକୌଣସି ଉପାୟରେ କଶ୍ମୀରକୁ ଦଖଲ କରିବା ପାଇଁ ସେ ସଂକଳ୍ପବଦ୍ଧ ଥିଲେ ମାତ୍ର ରକ୍ଷା କରିପାରି ନଥିଲେ ।
୧୯୯୯ ଅମଳର କଥା । ନୱାଜ ସରିଫ ସେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ମୁଶରଫ୍ ସେନାମୁଖ୍ୟ ଥିଲେ । ଏକ ଇଫତାର ପାର୍ଟିରେ କିଛି ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୁଶରଫ୍ ଛାତି ଫୁଲାଇ କହିଥିଲେ, ପ୍ରଧାନମନ୍ତ୍ରୀ ସରିଫ ଅନୁମତି ଦେଲେ, ମୁଁ ତିନିଦିନ ଭିତରେ କଶ୍ମୀରକୁ ଦଖଲ କରି ଆମ ସେନାବାହିନୀର ଦକ୍ଷତା ପ୍ରମାଣ କରିଦେବି । ସାମ୍ବାଦିକଙ୍କ ଭିତରେ ପାକିସ୍ତାନର ବଳିଷ୍ଠ ସାମ୍ବାଦିକ ମହମ୍ମଦ ଜିୟାଉଦ୍ଦିନ୍ ।
ସେ ମୁଶରଫଙ୍କ ପାଖ ଚଉକିରେ ବସିଥିଲେ । ମୁଶରଫଙ୍କ କଥାରେ ଭଡକି ଯାଇ କହି ପକାଇଲେ, ‘ଏଭଳି ମନ୍ତବ୍ୟ ପ୍ରଦାନ କରି ଆପଣ ପାକିସ୍ତାନ ଜନତାଙ୍କ ମନକୁ ଜିତିପାରନ୍ତି । କିନ୍ତୁ କଶ୍ମୀରକୁ କେବେ ଜିତି ପାରିବନି ।’ ଜିୟାଉଦ୍ଦିନଙ୍କ ମନ୍ତବ୍ୟ ଶୁଣି ମୁଶରଫ୍ ଆହତ ବାଘ ପରି ଖାଲି ଫଁ ଫଁ ହେଲେ । ଦୁୁହେଁ କିଛି ସମୟ ପାଇଁ ପରସ୍ପରକୁ ଆଖି ତରାଟି ଅନାଇଥିଲେ ।