ଆସିଲା କାଟ୍ରିନା-ଭିକିଙ୍କ ବିବାହ ଫଟୋ, ଶୁଭେଚ୍ଛା ଜଣାଇଲେ ବଲିଉଡର ବହୁ କଳାକାର

ରାଜସ୍ଥାନ: ବଲିଉଡ ଅଭିନେତା କାଟ୍ରିନା କୈଫ ଏବଂ ଭିକି କୌଶଲ ଏବେ ନବ ବିବାହିତ ଦମ୍ପତି । ସେମାନଙ୍କର ବିବାହ ସମୟର ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି । ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାର କେଇ ଘଣ୍ଟା ପରେ ଶୁଭ ମୁହୂର୍ତ୍ତର ଫଟୋ ଛାଡିଥିଲେ । ଏହା ଦେଖିବାପରେ ସେମାନଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ନବ ଦମ୍ପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ସୱାଇ ମାଧୋପୁରର ଫୋର୍ଟ ବାରବରା ହୋଟେଲରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କାଟ୍ରିନା ଏକ ଲାଲ ଏବଂ ସୁନେଲି ଜରିକାମ ହୋଇଥିବା ଲେହେଙ୍ଗା ପରିଧାନ କରିଥିବାବେଳେ ଭିକିଙ୍କୁ ଏକ ଶେରୱାନି ପିନ୍ଧିଥିବା ଦେଖିବାକୁ ମିଳିଛି । ଦୁହେଁ ଫଟୋ ଛାଡିବା ସହିତ ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି ।

ଏହି ନବ ଦମ୍ପତିଙ୍କୁ ଆଲିଆ ଭଟ୍ଟ, କରିନା କପୁର ଖାଁ, ପ୍ରିୟଙ୍କା ଚୋପ୍ରା, ହ୍ରିତିକ ରୋଶନ, ଟାଇଗର ଶ୍ରଫ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି । ଆଲିଆ କହିଛନ୍ତି, ନବ ଦମ୍ପତି ଅତି ସୁନ୍ଦର ଦେଖାଯାଉଛନ୍ତି । ପ୍ରିୟଙ୍କା ଲେଖିଛନ୍ତି, ଉଭୟଙ୍କୁ ଅଭିନନ୍ଦନ, ସେମାନେ ଦୁଇଜଣ ଦୁଇଜଣଙ୍କ ପାଇଁ ପରଫେକ୍ଟ । କରିନା ଲେଖିଛନ୍ତି, ସେମାନେ ଏବେ ବିବାହିତ, ଉଭୟଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ । ହ୍ରିତିକ ନିଜ ଲେଖାରେ ଉଭୟଙ୍କ ପାଇଁ ଅନେକ ଅନେକ ଭଲପାଇବା ଦେଇଛନ୍ତି । ଦୀପିକା ପାଦୁକୋନେ ସେମାନଙ୍କୁ ସାରାଜୀବନ ଭଲପାଇବା, ପରସ୍ପର ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ, ଆନୁଗତ୍ୟ ପ୍ରଦର୍ଶନ ସହିତ ହସଖୁସିରେ ଜୀବନ ଅତିବାହିତ କରିବାର ଶୁଭେଚ୍ଛା ଜଣାଇଛନ୍ତି ।