ନୂଆଦିଲ୍ଲୀ: ସର୍ବଦା ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଖବର ଶିରୋନାମା ସାଜିଛନ୍ତି। କରୋନାରେ ପ୍ରାଣ ହରାଇଥିବା ଜଣେ ସଫେଇ କର୍ମଚାରୀଙ୍କ ପରିବାରକୁ କୋଟିଏ ଟଙ୍କା ସହାୟତା ଦେଇଛନ୍ତି କେଜ୍ରିଓ୍ବାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏପରି ବଦାନ୍ୟତାକୁ ଅନେକେ ପ୍ରଶଂସା କରିଛନ୍ତି।
ଘଟଣାଟି କିଛି ଏମିତି, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ରାଜୁ। ତେବେ ନିଜ ଦାୟିତ୍ୱ ସମ୍ପାଦନ କରିବା ବେଳେ ସେ କୋଭିଡ଼ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପରିବାରର ସେ ଏକମାତ୍ର ସାହାରା ହୋଇଥିବା ବେଳେ ତାଙ୍କ ଅବର୍ତ୍ତମାନରେ ପରିବାର ଚଳିବା କଷ୍ଟ ହୋଇପଡ଼ିଥିଲା। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନଜରକୁ ଘଟଣାଟି ଆସିବା ପରେ ସେ ନିଜେ ଯାଇ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ। ଦୁଃଖଦ ଘଡ଼ିରେ ରାଜୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଭରଣପୋଷଣ ଲାଗି ଏକ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।
ସାରା ଦେଶକୁ କରୋନା ମହାମାରୀ କଲବଲ କରି ଚାଲିଛି। ଦେଶବାସୀ ସଟଡାଉନ, ଲକଡାଉନ ଭଳି କଟକଣା ଭିତରେ ଚଳୁଛନ୍ତି। ଇତିମଧ୍ୟରେ ସାହସର ସହ କାର୍ଯ୍ୟ ସମ୍ପାଦନ କରି ଚାଲିଛନ୍ତି କୋଭିଡ ଯୋଦ୍ଧା। ଅନେକେ ଏହି ବାଜିରେ ଜୀବନ ମଧ୍ୟ ହାରୁଛନ୍ତି। ଏପରି ସ୍ଥିତିରେ ଆଗଧାଡ଼ିରେ ରହି କରୋନାର ପ୍ରତ୍ୟକ୍ଷ ମୁକାବିଲା କରୁଥିବା କର୍ମଚାରୀଙ୍କ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ ହେବ ନିଶ୍ଚୟ।