ନୂଆଦିଲ୍ଲୀ: ଗଣମାଧ୍ୟମରେ ଚହଳ ପଡ଼ିଛି ଆରମ୍ଭ ହେଲା ଖାଡ୍ଗେ ଯୁଗ । ଆଜି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀଙ୍କଠାରୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖାଡ୍ଗେ । ୨୪ ବର୍ଷ ପରେ କଂଗ୍ରେସକୁ ଅଣଗାନ୍ଧୀ ବ୍ୟକ୍ତିଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦବୀ ମିଳିଛି । କିନ୍ତୁ କଥା ଉଠୁଛି, ସତରେ କ’ଣ ଖାଡ୍ଗେ ନିଜର ବ୍ୟକ୍ତିତ୍ୱ ବଳରେ ଅଧ୍ୟକ୍ଷ ପଦବୀ ପାଇଛନ୍ତି । ଦଳର ଛୋଟିଆ କର୍ମୀଙ୍କଠାରୁ ଆରମ୍ଭ କରି ବଡ଼ ନେତାଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳିଛି ।
ସୋନିଆଙ୍କ ଆଶୀର୍ବାଦ ପାଇ ନଥିଲେ ଖାଡ୍ଗେ ଜିତି ପାରି ନଥାନ୍ତେ । ତେଣୁ ଗଣମାଧ୍ୟମ ଯାହା କହନ୍ତୁ ନା କାହିଁକି; ଗାନ୍ଧୀ-ନେହୁରୁ ବଂଶର ଦାୟାଦଙ୍କ ଅଧୀନରେ କଂଗ୍ରେସ ରହିବା ଜରୁରୀ । ଖାଲି ସେତିକି ନୁହେଁ, କଂଗ୍ରେସ ଅଧ୍ୟକ୍ଷ କେବଳ ସେହି ଲୋକ ହୋଇପାରିବ ଯାହା ଉପରେ ଗାନ୍ଧୀ-ନେହୁରୁ ପରିବାରର ହାତ ରହିଥିବ । ଅତୀତରେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ଅଣଗାନ୍ଧୀ ବ୍ୟକ୍ତିମାନେ ଗାନ୍ଧୀ-ନେହୁରୁ ପରିବାର ନିର୍ଦ୍ଦେଶରେ ପରିଚାଳିତ ହୋଇଥିବାର ନଜିର ରହିଆସିଛି । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନାମକୁ ମାତ୍ର ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ମାତ୍ର ଶାସନ ଚାଲିଥିଲା ସୋନିଆ ଓ ରାହୁଲ ଗାନ୍ଧୀଙ୍କର ।
ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସର ଯାହା ଚାଲିଛି; ସବୁ ନାଟକ । ଲୋକଙ୍କ ମନକୁ ବୁଝାଇବା ପାଇଁ ଆଉ କଂଗ୍ରେସ ଉପରେ ସୋନିଆ ଓ ରାହୁଲଙ୍କର ଆଧିପତ୍ୟ ରହିବ ନାହିଁ । ଅକାଟ୍ୟ ସତ ହେଉଛି; ଗାନ୍ଧୀ-ନେହୁରୁ ପରିବାର ବିନା କଂଗ୍ରେସ ତିଷ୍ଠିବା ଅସମ୍ଭବ ।
ସୋନିଆ କହିଛନ୍ତି ଯେ ଖାଡ୍ଗେଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିବା ପରେ ସୋନିଆ ହାଲୁକା ଅନୁଭବ କରୁଛନ୍ତି । ବାସ୍ତବ ସତ ହେଉଛି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ଦୋଷ ମୁଣ୍ଡାଇବାକୁ ପଡ଼ିବନି । ସୋନିଆଙ୍କ ଅନ୍ତର କହୁଥିବ, ‘ବଳି ପଡ଼ିବାକୁ ପ୍ରସ୍ତୁତ ରୁହ ଖାଡ୍ଗେ ।’ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ସହି ପାରିଲେନି ରାହୁଲ । ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ବାତୁଳପ୍ରାୟ ଘୁରିବୁଲିଲେ, ବେଶ କିଛିଦିନ ଦୃଶ୍ୟପଟ୍ଟରୁ ଅନ୍ତର୍ଦ୍ଧାନ ହୋଇଗଲେ । ଏବେ ଖାଡ୍ଗେଙ୍କୁ ବଳି ଛାଗଳ କରାଯାଇଛି ।
ସୋନିଆଙ୍କଠାରୁ ଆଶୀର୍ବାଦ ପାଇବା ପରେ ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ । ମାତ୍ର ସୋନିଆ ଭଲ ଭାବରେ ଜାଣିଥିଲେ; ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ହୋଇଯିବା ପରେ ଆଉ ତାଙ୍କ ହାତରେ ରହିବେନି । ସୋନିଆ ରାଜସ୍ଥାନ ରାଜନୀତିରୁ ଗେହଲଟ୍ଙ୍କୁ ଆଣି କେନ୍ଦ୍ର ରାଜନୀତିରେ ଲଗାଇବାକୁ ଚାହିଁଥିଲେ; ହେଲେ ଗେହଲଟ୍ ପଛକୁ ହଟିଗଲେ ।