ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରେ ୟୁପି ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଲକ୍ଷେ୍ନøରୁ ଚାରିକିଲୋ ଓଜନର ଅଠାଳିଆ ଜିନିଷ ଜବତ କରିଥିଲେ ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । ଗତ ୧୫ ମାସ ଭିତରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ କିଲୋ ଭାସମାନ ସୁନା ଜବତ କରିଛି ପୁଲିସ । ଜାଣିଛନ୍ତି, ଭାସମାନ ସୁନା କାହାକୁ କହନ୍ତି? ଗଭୀର ସମୁଦ୍ରରେ ଏକ ବିଶେଷ ପ୍ରଜାତିର ତିମି ମିଳନ୍ତି ଯାହାର ପାକସ୍ଥଳୀରେ ଭାସମାନ ସୁନା ରହିଥାଏ । ସଂକ୍ଷେପରେ ତିମିମାଛର ବାନ୍ତିକୁ ଭାସମାନ ସୁନା କୁହାଯାଏ । ସ୍ପର୍ମ ତିମି’ର ବାନ୍ତି କିଲୋ ପ୍ରାୟ ୨ କୋଟି ଟଙ୍କା । ଏମିତି କ’ଣ ରହିଛି ସେ ବାନ୍ତିରେ? ତା’ର ରହସ୍ୟ ଭେଦ କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି ।
ପୃଥିବୀପୃଷ୍ଠରେ ରହୁଥିବା ଏହି ପ୍ରଜାତିର ତିମି’ ଦାନ୍ତ ସବୁଠାରୁ ବଡ଼ । ସ୍ପର୍ମ ତିମିର ଲମ୍ବା ପ୍ରାୟ ୬୭ ଫୁଟ । ନୀଳତିମି ଲମ୍ବଠାରୁ ପ୍ରାୟ ୨୦ ଫୁଟ ଛୋଟ ଦିଶୁଥିବା ଏହି ପ୍ରାଣୀଟିର ଓଜନ ପ୍ରାୟ ୪୨୦୦ କିଲୋ । ଏକ ପ୍ରାପ୍ତବୟସ୍କ ନୀଳତିମିର ଓଜନ ପ୍ରାୟ ୧ ଲକ୍ଷ ୭୦ ହଜାର କିଲୋ । ତିମି ବାନ୍ତିକୁ ଇଂରାଜୀରେ ଏମ୍ବରଗ୍ରୀସ୍ କହନ୍ତି । ସାଧାରଣତଃ ଗଭୀର ସମୁଦ୍ରରେ ଏମ୍ବରଗ୍ରୀସକୁ ଦେଖିବାକୁ ମିଳେ । ତେବେ ଅନେକ ସମୟରେ ସମୁଦ୍ରତଟରେ ମଧ୍ୟ ତିମିବାନ୍ତି ଦେଖାଯାଏ । ଚୀନ, ଜାପାନ, ଆଫ୍ରିକା ଓ ଆମେରିକା ଉପକୂଳରେ ବହୁଳ ମାତ୍ରାରେ ତିମିବାନ୍ତି ମିଳିଥାଏ । ତିମିପାଟିରୁ ବାହାରିବା ସମୟରେ ଉକ୍ତ ବାନ୍ତିର ରଙ୍ଗ ଈଷତ୍ ହଳଦିଆ ଥାଏ; ମାତ୍ର ସମୁଦ୍ରରେ କିଛି ସମୟ ଭାସିବା ପରେ ତା’ର ରଙ୍ଗ ଗାଢ଼ ଲାଲ ହୋଇଯାଏ । କ୍ରମେ ତିମି ବାନ୍ତି କଳା ନଚେତ୍ ବାଇଗଣୀ ରଙ୍ଗ ଧାରଣ କରିଥାଏ । ସଦ୍ୟ ବାନ୍ତି ମଣିଷ ମଳ ଭଳି ଗନ୍ଧାଇଥାଏ । ମାତ୍ର ପରେ ତାହା ମାଟି ଅବା ମିଠା ଭଳି ବାସ୍ନା ହୁଏ ।
ଲେଖକ କ୍ରିଷ୍ଟୋଫର କ୍ୟାମ୍ପ ତାଙ୍କ ଲିଖିତ ପୁସ୍ତକ ‘ଏ ନାଚୁରାଲ ଆଣ୍ଡ ହିଷ୍ଟ୍ରି ଅଫ୍ ଏମ୍ବରଗ୍ରୀସ’ରେ ଦର୍ଶାଇଛନ୍ତି ଯେ ତିମିପାଟିରୁ ବାହାରୁଥିବା ଏମ୍ବରଗ୍ରୀସକୁ ବାନ୍ତି କହିବା ଠିକ୍ ହେବନି । ସେ ଲେଖିଛନ୍ତି, ତିମି ପାକସ୍ଥଳୀରେ ଏକ ଜଟିଳ ପ୍ରକ୍ରିୟା ଦେଇ ଏମ୍ବରଗ୍ରୀସ ତିଆରି ହୁଏ । ଏକାଧିକ ମାସଂଖଣ୍ଡ ମିଶିଯିବା ପରେ ଏମ୍ବରଗ୍ରୀସ ରୂପ ନିଏ । ଏମ୍ବରଗ୍ରୀସ ପ୍ରଭାବରେ ତିମି ଅଶ୍ୱସ୍ତିବୋଧ କଲେ, ପାଟିବାଟେ ବାହାର କରିଦିଏ । ୧୭୮୩ରେ ଜର୍ମାନ୍ ରସାୟନବିଦ ଫ୍ରାଞ୍ଜ ଶ୍ୱେଗର ତାକୁ ‘ନିଷ୍ଠୁର ତିମିର ଗୋବର’ କହିଥିଲେ । ପ୍ରଥମେ ଜାପାନ ଦେଶର ଲୋକମାନେ ଜାଣିବାକୁ ପାଇଥିଲେ ଯେ ତିମିପାଟିରୁ ହିଁ ଏମ୍ବରଗ୍ରୀସ ବାହାରୁଛି ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କ’ଣ ପାଇଁ ତିମି ବାନ୍ତି ଏତେ ମୂଲ୍ୟବାନ? ମଣିଷର ବିଭିନ୍ନ କାମରେ ତିମି ବାନ୍ତି ଉପଯୋଗ କରାଯାଇଥାଏ । ତା’ ଭିତରୁ କେତୋଟି ଧାରଣା ଦେବାର ଉଦ୍ୟମ କରୁଛୁ । ଏମ୍ବରଗ୍ରୀସ ଆଲକୋହଲରୁ ନାନା ସୁବାସିତ ଅତର ତିଆରି କରାଯାଏ । ଏହି ଅତର ଦୀର୍ଘ ସମୟ ପର୍ଯ୍ୟନ୍ତ ସୁଗନ୍ଧ ପ୍ରଦାନ କରିଥାଏ । ସୁବାସିତ ଅତର ତିଆରି କାମରେ ଧଳାତିମି ବାନ୍ତିର ଚାହିଦା ବେଶି । ଦୁବାଇରେ ତିମିବାନ୍ତିର ଚାହିଦା ସବୁଠାରୁ ଅଧିକ । କେତୋଟି ଦେଶରେ ତିମିବାନ୍ତିରୁ ଔଷଧ ତିଆରି କରାଯାଏ । ଶୁଣିବାକୁ ମିଳେ, ପ୍ରାଚୀନ ଗ୍ରୀସରେ ତିମିବାନ୍ତିରୁ ଧୂପକାଠି ତିଆରି କରାଯାଉଥିଲା ।
ଆଜି ମଧ୍ୟ ସିଗାରେଟ ଫ୍ଲେଭର୍ ଭାବେ ତିମିବାନ୍ତିକୁ ବ୍ୟବହାର କରାଯାଉଛି । ଷୋଡ଼ଶ ଶତାବ୍ଦୀରେ ବ୍ରିଟେନ୍ ରାଜା ଦ୍ୱିତୀୟ ଚାର୍ଲସ ତିମିବାନ୍ତି ସହ ଅଣ୍ଡା ଖାଇବାକୁ ଭଲ ପାଉଥିଲେ । ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ତିମିବାନ୍ତିକୁ ଚକୋଲେଟ୍ ଫ୍ଲେଭର ବଢ଼ାଇବାରେ ବ୍ୟବହାର କରାଯାଉଥିଲା । ୟୁରୋପରେ କଳାପ୍ଲେଗ ବ୍ୟାପିଥିବା ସମୟରେ ଲୋକମାନେ ତିମିବାନ୍ତିରୁ ଅତି କ୍ଷୁଦ୍ର ମାତ୍ରା ସେବନ କରି ରୋଗମୁକ୍ତ ହୋଇଥିବାର ଦୃଷ୍ଟାନ୍ତ ଦିଅନ୍ତି । ବିଜ୍ଞାନ ଯେତିକି ଆଗଉଛି, ତିମିବାନ୍ତିର ମୂଲ୍ୟ ସେତିକି ବୃଦ୍ଧି ପାଉଛି ।