ରୋହିତଙ୍କ ଯିଦରେ ଦିନିକିଆ ଅଧିନାୟକ ପଦ ହରାଇଲେ କୋହଲି!

ନୂଆଦିଲ୍ଲୀ : ବିସିସିଆଇ ବିରାଟ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ କରିଛି । କୋହଲି କିନ୍ତୁ ଦିନିକିଆ ଅଧିନାୟକ ପଦ ଛାଡିବାକୁ ଚାହୁଁନଥିଲେ । ବିସିସିଆଇ ଅଧିନାୟକ ପଦ ଛାଡିବା ପାଇଁ କୋହଲିଙ୍କୁ ୪୮ ଘଣ୍ଟାର ସମୟ ଦେଇଥିଲା । କିନ୍ତୁ କୋହଲି ନିଜ ଆଡୁ ଇସ୍ତଫା ନଦେବା ଫଳରେ ବାଧ୍ୟ ହୋଇ ବୋର୍ଡ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ଘୋଷଣା କରିଥିଲା । ଖବର ଅନୁଯାୟୀ, ରୋହିତ ଶର୍ମା କହିଥିଲେ ଯେ, ଯଦି ତାଙ୍କୁ ଦିନିକିଆ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଏ ତେବେ ସେ ଟି-୨୦ ଦଳର ଅଧିନାୟକ ହେବେ ।

ଏହି କାରଣରୁ ବୋର୍ଡକୁ ଏହି ନିର୍ଣ୍ଣୟ ନେବାକୁ ପଡିଛି । ବୋର୍ଡ ପ୍ରଥମରୁ କୋହଲିଙ୍କୁ ଟି-୨୦ ଦଳର ଅଧିନାୟକ ପଦ ନଛାଡିବାକୁ କହିଥିଲା । କିନ୍ତୁ କୋହଲି ଏହା ମାନିନଥିଲେ । ବିସିସିଆଇ ସ୍ପଷ୍ଟ କରିଛି ଯେ, ସୀମିତ ଓଭର କ୍ରିକେଟ୍‌ରେ ଭିନ୍ନ ଭିନ୍ନ ଅଧିନାୟକ ରଖାଯିବ ନାହିଁ । ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ଛାଡିବା ସହ କହିଥିଲେ ଯେ, ସେ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦରେ ରହିବାକୁ ଚାହାନ୍ତି ।