ପାଟନା: ବିହାର ନିର୍ବାଚନ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ଯାଦବଙ୍କୁ ମିଳିଲା ଜାମିନ ।ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ମିଳିଛି। ତେବେ ଦୁମ୍କା ଟ୍ରେଜେରୀ ମାମଲାର ଶୁଣାଣି ବିଚାରାଧୀନ ଥିବାରୁ ଲାଲୁ ଏବେ ଜେଲ ଛାଡିବେ ନାହିଁ। ଲାଲୁଙ୍କ ଜାମିନକୁ ନେଇ ଦଳ ଖୁସି ହୋଇଛି ।
ଏନେଇ ଆରଜେଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ‘ଲାଲୁ ପ୍ରସାଦଜୀଙ୍କୁ ଚତୁର୍ଥ ମାମଲାରେ ଜାମିନ ମିଳିଛି। ବର୍ତ୍ତମାନ ଏକ ମାମଲା ବାକି ଅଛି, ଯାହାର ଦଣ୍ଡ ଅବଧି ନଭେମ୍ବର ୯ରେ ଶେଷ ହେବା ପରେ ସେ ବାହାରକୁ ଆସିପାରିବେ ।
ସୂଚନା ମୁତାବକ, ଚାଇବାସା ଟ୍ରେଜେରୀ ମାମଲାରେ ଲାଲୁ ଯାଦବ ଦିଆଯାଇଥିବା ଦଣ୍ଡର ଅଧା ସମାପ୍ତି କରିସାରିଥିବା ଦର୍ଶାଇ ଜାମିନ ଆବେଦନ କରାଯାଇଥିଲା। ହେଲେ ଗତ ଶୁଣାଣିରେ ସିବିଆଇ କହିଥିଲା ଯେ ଅଧା ଦଣ୍ଡ ପୂରଣ ହେବାକୁ ଆଉ ୨୬ଦିନ ବାକି ଅଛି, ଯାହା ପରେ ଅକ୍ଟୋବର ୯ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରାଯାଇ ଲାଲୁ ଯାଦବଙ୍କୁ ଚାଇବାସା ମାମଲାରେ ଜାମିନ ଦିଆଯାଇଛି।
ମାମଲାରେ ଜାମିନ ପାଇବା ପରେ ମଧ୍ୟ ଲାଲୁ ଯାଦବଙ୍କୁ ଜେଲରେ ରହିବାକୁ ପଡ଼ିବ। ସେ ଗୋଖାଦ୍ୟ ଦୁର୍ନୀତିର ଦୁମ୍କା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ଏହି ମାମଲାରେ ତାଙ୍କୁ ଜାମିନ ମିଳିନାହିଁ। ଏହାସହ ଦୁମ୍କା ମାମଲାରେ ଲାଲୁ ଯାଦବଙ୍କ ଦଣ୍ଡର ଅଧା ସମୟ ନଭେମ୍ବରରେ ଶେଷ ହେବ। ନଭେମ୍ବର ପରେ ଜେଲରୁ ବାହାରି ପାରିବେ ବୋଲି ଲାଲୁ ଯାଦବଙ୍କ ଓକିଲମାନେ କହିଛନ୍ତି ।