ପରଲୋକରେ ବର୍ଷୀୟାନ ଅଭିନେତ୍ରୀ ତବସୁମ

ମା’ଙ୍କ ଅନ୍ତିମ ଇଛାକୁ ପାଳନ କରିଛୁ ମାତ୍ର…

ମୁମ୍ବାଇ: ନଭେମ୍ବର ୧୮ ତାରିଖରେ ପରଲୋକ ଗମନ କରିଛନ୍ତି ବଲିଉଡର ବର୍ଷୀୟାନ ଅଭିନେତ୍ରୀ ତବସୁମ । ତାଙ୍କ ପୁଅ ହୋସାଙ୍ଗ ଗୋଭିଲ କହିଛନ୍ତି ଯେ ମା’ଙ୍କ ଇଛା ଥିଲା ତାଙ୍କର ଅନ୍ତିମ ସଂସ୍କାର ସରିବା ପରେ ମିଡିଆ ସମେତ ଅନ୍ୟାନ୍ୟ ଲୋକଙ୍କୁ ଜଣାଇବା ପାଇଁ । ମା’ଙ୍କ ଅନ୍ତିମ ଇଛାକୁ ପାଳନ କରିଛୁ ମାତ୍ର । ହୋସାଙ୍ଗ ଗୋଭିଲଙ୍କ ସୂଚନା ଅନୁସାରେ ଗତକାଲି ରାତି ୮ଟା ୪୦ ମିନିଟରେ ତବସୁମ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଲେ ।

ଦଶଦିନ ତଳେ ସେ ସୁଟିଂରେ ଅଂଶଗ୍ରହଣ କରିଥିଲେ । ଆଗାମୀ ସପ୍ତାହରେ ସୁଟିଙ୍ଗ ହେବାର ଥିଲା । ମାତ୍ର ସବୁକିଛି ଆକସ୍ମିକ ଭାବେ ଘଟିଗଲା । ମା’ଙ୍କର ଗ୍ୟାଷ୍ଟିକ୍‌ ପ୍ରୋବଲେମ୍‌ ଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସୁସ୍ଥ ହୋଇ ଡାକ୍ତରଖାନାକୁ ଘରକୁ ଫେରିଥିଲେ । ମାତ୍ର ଶୁକ୍ରବାର ଅଚାନକ ତାଙ୍କ ଶରୀର ବିଗିଡ଼ିଗଲା । ମାତ୍ର ଦୁଇ ମିନିଟ୍‌ ଭିତରେ ଦୁଇଥର ହୃଦଘାତ ହୋଇଥିଲା । ତବସୁମଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

୧୯୪୭ରେ ସେ ବେବି ତବସୁମ ନାମରେ ହିନ୍ଦୀ ଚଳଚ୍ଚିତ୍ର ‘ଦିଦାର’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୭୦ ଦଶକରେ ଜଣେ ସଫଳ ଟିଭି ଉପସ୍ଥାପିକା ଭାବେ ଘରେଘରେ ପରିଚିତ ହେଲେ । ଦୀର୍ଘ ୨୧ ବର୍ଷ ଧରି ଦୂରଦର୍ଶନରେ ପ୍ରସାରିତ ‘ଫୁଲ ଖିଲେ ହୈ ଗୁଲଶନ ଗୁଲଶନ’ ତାକୁ ସର୍ବାଧିକ ଲୋକପ୍ରିୟ କରିଥିଲା । ଉକ୍ତ ଧାରାବାହିକରେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକଙ୍କ ଗହଣରେ ତବସୁମଙ୍କୁ ଦେଖିବାକୁ ମିଳୁଥିଲା ।

୧୯୭୨ରୁ ପ୍ରସାରିତ ଏହି ଧାରାବାହିକଟି ୧୯୯୩ ପର୍ଯ୍ୟନ୍ତ ଚାଲିଥିଲା । ଗତବର୍ଷ ସେ ତାଙ୍କର ୟୁଟୁବ ଚାନେଲ ଖୋଲିଥିଲେ । ତବସୁମଙ୍କ ଜନ୍ମ ୧୯୪୪ ଜୁଲାଇ ୯ ତାରିଖରେ ଅଯୋଧ୍ୟାରେ ହୋଇଥିଲା । ତାଙ୍କ ବାପା ଅଯୋଧ୍ୟାନାଥ ସଚଦେବ ଓ ମା’ ଅସଗରୀ ବେଗମ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତ୍ର ତିନିବର୍ଷ ବୟସରେ ସେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ । ଚଳଚ୍ଚିତ୍ର ‘ଦିଦାର’ରେ ସେ ବିଶିଷ୍ଟ ଅଭିନେତ୍ରୀ ନର୍ଗିସଙ୍କର ପିଲାଦିନର ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ବିମୋହିତ କରିପାରିଥିଲେ ।

ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ର ରାମ ଚରିତ୍ରରେ ଅବତୀର୍ଣ୍ଣ ଅରୁଣ ଗୋଭିଲଙ୍କ ବଡ଼ଭାଇ ବିଜୟ ଗୋଭିଲଙ୍କୁ ସେ ବିବାହ କରିଥିଲେ । ତାଙ୍କର ଦୁଇପୁଅ ଭିତରୁ ପୁଅ ହୋସାଙ୍ଗ ଜଣେ ଅଭିନେତା । ୨୦୨୧ରେ ତବସୁମଙ୍କୁ କରୋନା ସଂକ୍ରମଣ କରିଥିଲା । ଦୀର୍ଘଦିନ ଧରି ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଗୁଜବ ପ୍ରଚାର ହୋଇଥିଲା ।