ଆରମ୍ଭ ହେଲା ‘କୃଷି ଉଡ଼ାଣ ୨.୦’

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ମନ୍ତ୍ରାଳୟ ‘କୃଷି ଉଡ଼ାଣ-୨.୦’ ପ୍ରଚଳନ କରିଥିବା ଗଣମାଧ୍ୟମକୁ କହିଛନ୍ତି । ଦେଶରେ ଚାଷୀଙ୍କ ଆୟ ଦୁଇଗୁଣା କରିବା ଉଦ୍ଦେଶ୍ୟରେ ଏହି ଯୋଜନା ହାତକୁ ନିଆଯାଇଥିବା ସେ କହିଛନ୍ତି । ବିଶେଷ କରି ଜଲଦି ଖରାପ ହେବା ଭଳି କୃଷି ଉତ୍ପାଦନକୁ ଠିକ ସମୟରେ ଦେଶର ଦୂର ଦୂରାନ୍ତ ବଜାରରେ ପହଞ୍ଚାଇ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହ ଚାଷୀଙ୍କ ଉତ୍ପାଦନର ସଠିକ ମୂଲ୍ୟ ମିଳିପାରିବ ବୋଲି ସିନ୍ଧିଆ କହିଛନ୍ତି । ଏହି ଯୋଜନାରେ ୮ଟି ସରକାରୀ ମନ୍ତ୍ରାଳୟ ଏକ ସଙ୍ଗରେ କାମ କରୁଥିବା ସିନ୍ଧିଆ କହିଛନ୍ତି । ଆମ ଦେଶର ଚାଷୀଙ୍କୁ ଆଗକୁ ନେବା ଓ ସେମାନଙ୍କ ଉତ୍ପାଦ ବିଶେଷ କରି ଜଲଦି ଖରାପ ହେଉଥିବା ସାମଗ୍ରୀକୁ ଉଚିତ ସମୟରେ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି । ଫଳରେ ଭାରତୀୟ କୃଷି ଉତ୍ପାଦ ନୂଆ ବଜାର ପାଇବା ସହ ଚଷୀ ମଧ୍ୟ ବେଶ ଦୁଇ ପଇସା ଲାଭ କରିପାରିବେ ବୋଲି କହିଛନ୍ତି ସିନ୍ଧିଆ ।