ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ପରେ ଏବେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ଶୁଳ୍କ ଓ ଆଗ୍ରିସେସ୍ ବା କୃଷି ଉପକର କମାଇବାକୁ ଘୋଷଣା କରିଛନ୍ତି । ସୋୟାବିନ୍, ସୂର୍ଯ୍ୟମୁଖୀ ଓ ପାମୋଲିନ୍ ଅଏଲ ଉପରେ ପୂର୍ବରୁ ୨.୫ ପ୍ରତିଶତ ମୌଳିକ ଶୁଳ୍କ ନିଆଯାଉଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଖାଇବା ତେଲ ଦର ହ୍ରାସ ପାଇବ । ଦେଶରେ ଲଗାତାର ଭାବେ ଖାଇବା ତେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ଏଥିରେ ହ୍ରାସ ପାଇବା ଖବର ଖାଉଟିଙ୍କୁ ଆଶ୍ୱସ୍ତି ଦେଇଛି । ଏହା ସହିତ ଖାଇବା ତେଲ ଉପରୁ କୃଷି ଉପକର ବା ଆଗ୍ରି ସେସ ମଧ୍ୟ ହ୍ରାସ ପାଇଛି । ଅଶୋଧିତ ପାମୋଲିନ୍ ତେଲ ଉପରେ ପୂର୍ବରୁ ୨୦ ପ୍ରତିଶତ ଆଗ୍ରି-ସେସ ନିଆଯାଉଥିବା ବେଳେ ଏବେ ୭.୫ ପ୍ରତିଶତ ନିଆଯିବ । ସେହିଭଳି ଅଶୋଧିତ ସୋୟାବିନ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରୁ ୫ ପ୍ରତିଶତ ଆଗ୍ରି-ସେସ ହ୍ରାସ କରାଯାଇଛି । ଏହାସହ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୂଖୀ ରିଫାଇନ ତେଲ ଉପରେ ବେସିକ ଡ୍ୟୁଟି ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ କମାଇଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ଅନେକ ସ୍ଥାନରେ ୭ ରୁ ୨୦ ଟଙ୍କା ଶସ୍ତା ହୋଇଛି ଖାଇବା ତେଲ ।